ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ । ଶିଳ୍ପ ବିକାଶ ଓ ପୁଞ୍ଜି ନିବେଶକୁ ବ୍ୟାପକ କରିବା ଲକ୍ଷ୍ୟରେ ଆୟୋଜିତ ହୋଇଥିବା ବେଳେ, ଦ୍ବିତୀୟ ଦିନରେ ଉତ୍ସାହଜନକ ବାର୍ତ୍ତା ସାମ୍ନାକୁ ଆସିଛି। ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ଯେ ଗୁରୁବାର ସକାଳ ଜଳଖିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ୪୦ ଶିଳ୍ପପତି ସାମିଲ ହୋଇଥିଲେ ଓ ୪ ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିଲେ । କେବଳ ସେତିକି ନୁହେଁ, ୫୪ ଜଣ ବିଶିଷ୍ଟ ଶିଳ୍ପପତି ମେକ୍ ଇନ୍ ଓଡ଼ିଶା ମଞ୍ଚରେ ବସିଥିଲେ । କନକ୍ଲେଭର ପ୍ରଥମ ଦିନରେ ୨୦୦୦ ପ୍ରତିନିଧି ଯୋଗ ଦେଇଥିବା ବେଳେ ଗୁରୁବାର ସମୁଦାୟ ୧୩ଟି ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଛି ଓ ଏହି ସମ୍ମିଳନୀକୁ ୧୧ଟି ଦେଶରୁ ପ୍ରଦର୍ଶନୀ ପାଇଁ ଶିଳ୍ପଦ୍ୟୋଗୀମାନେ ଆସିଛନ୍ତି । ସମସ୍ତେ ଇଣ୍ଡଷ୍ଟ୍ରିଆଲ୍ ଏକ୍ସପୋରେ ଅଂଶଗ୍ରହଣ କରିଛନ୍ତି ।
ଅନ୍ୟପକ୍ଷରେ ପୁଞ୍ଜିନିବେଶ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କୁ ସଫଳତା ମିଳିଛି। ମେକ୍ ଇନ୍ ଓଡ଼ିଶାର ପ୍ରଥମ ଦିନରେ ମୋଟ ୧୪୫ଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ଏହା ଜରିଆରେ ରାଜ୍ୟକୁ ୭ ଲକ୍ଷ ୨୬ ହଜାର ୧୨୮କୋଟି ୪୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ସାମିଲ ରହିଛି । ଏହା ଦ୍ୱାରା ୩ ଲକ୍ଷ ୨୦ ହଜାର ୭୪୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି । ସେଥିମଧ୍ୟରୁ ଗୁରୁବାର କେବଳ ପ୍ଲେନାରୀ ସେସନରେ ୬୭ଟି ପୁଞ୍ଜି ନିବେଶ ଆଗ୍ରହ ଜରିଆରେ ୫ ଲକ୍ଷ ୫୦ ହଜାର ୭୪୨ କୋଟି ୨୬ଲକ୍ଷ ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ଏହା ଜରିଆରେ ୨ ଲକ୍ଷ ୪୭ ହଜାର ୮୯୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିଭଳି ପୂର୍ବରୁ ବିଭିନ୍ନ ରୋଡ଼ ସୋ’ ଜରିଆରେ ମେକ୍ ଇନ୍ ଓଡ଼ିଶା ପାଇଁ ୭୮ଟି ନିବେଶ ଆଗ୍ରହ ଆସିଥିଲା, ଯାହାକି ଆଜି ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଛି । ଏହା ମାଧ୍ୟମରେ ରାଜ୍ୟକୁ ୧ ଲକ୍ଷ ୪୦ ହଜାର ୩୮୬କୋଟି ୧୯ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ସମ୍ଭାବନା ଓ ୭୨ ହଜାର ୮୪୯ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା ଆସିଛି ବୋଲି ଶିଳ୍ପ ସଚିବ ଶ୍ରୀ ଶର୍ମା ଗଣମାଧ୍ୟମକୁ କହିଛନ୍ତି
