ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ; ଦିନକରେ ୭.୨୬ ଲକ୍ଷ କୋଟିର ୧୪୫ଟି ନିବେଶ ପ୍ରତିଶ୍ରୁତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ। ବୁଧବାର ସନ୍ଧ୍ୟାରୁ ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଏବେ ଶିଳ୍ପପତିଙ୍କୁ ଓଡ଼ିଶାକୁ ଆକୃଷ୍ଟ କରୁଛି। ଭୁବନେଶ୍ବରେ ଗୁରୁବାର ଅନୁଷ୍ଠିତ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଦ୍ବିତୀୟ ଦିନରୁ ଏହାର ଆଭାସ ମିଳିଛି। ରାଜ୍ୟକୁ ଦିନକରେ ୭ ଲକ୍ଷ ୨୬ ହଜାର ୧୨୮ କୋଟି ୪୫ ଲକ୍ଷ ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ରାଜ୍ୟରେ ଏସବୁ ପୁଞ୍ଜି ନିବେଶ ବାସ୍ତବତାର ରୂପ ନେଲେ ୩ ଲକ୍ଷ ୨୦ ହଜାର ୭୪୧ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଦ୍ବିତୀୟ ଦିନର ଅଧିବଶେନ ଓ ଆଲୋଚନା ପରେ ସାମ୍ବାଦିକମାନଙ୍କୁ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଆସିଥିବା ନିବେଶ ପ୍ରସ୍ତାବ ସଂପର୍କରେ ବିଶେଷ ସୂଚନା ଦେଇଛନ୍ତି। ରାଜ୍ୟରେ ୧୪୫ଟି କମ୍ପାନି ରାଜ୍ୟରେ ନିବେଶ ପାଇଁ ମନ ବଳାଇଛନ୍ତି। ଶ୍ରୀ ଶର୍ମା କହିଛନ୍ତି ଯେ, ଆଜି ୬୭ଟି ନିବେଶ ପ୍ରସ୍ତାବ ଆସିଛି। ଏହି ପ୍ରସ୍ତାବଗୁଡ଼ିକରେ ଆସିଥିବା ମୋଟ ନିବେଶ ପ୍ରସ୍ତାବ ରାଶି ୫ ଲକ୍ଷ ୮୫ ହଜାର ୭୪୨ କୋଟି ୨୬ ଲକ୍ଷ ଟଙ୍କା ରହିଛି। ଏହି ନିବେଶ ଦ୍ବାରା ୨ ଲକ୍ଷ ୪୭ ହଜାର ୮୯୨ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିଭଳି ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ ପରିପ୍ରେକ୍ଷୀରେ ଗତ ୬ ମାସ ମଧ୍ୟରେ ଦେଶବିଦେଶରେ ଯେଉଁ ରୋଡ୍‌ ସୋ’ ଆୟୋଜନ ହୋଇଥିଲା ସେଗୁଡ଼ିକରେ ୭୮ଟି କମ୍ପାନି ରାଜ୍ୟରେ ନିବେଶ ପାଇଁ ୧ ଲକ୍ଷ ୪୦ ହଜାର ୩୮୬ କୋଟି ୪୫ ଲକ୍ଷ ଟଙ୍କାର ପ୍ରସ୍ତାବ ଦେଇଛନ୍ତି। ଏହି ନିବେଶ ଦ୍ବାରା ୭୨ ହଜାର ୮୪୯ ଜଣଙ୍କୁ ନିଯୁକ୍ତି ମିଳିବ।

୭ ଲକ୍ଷ ୨୬ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ମଧ୍ୟରୁ ଖଣିଜ ଓ ଧାତବ ଶିଳ୍ପରେ ସର୍ବାଧିକ ୪ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିବା ବେଳେ ଶକ୍ତି, ଅକ୍ଷୟ ଶକ୍ତି ଏବଂ ସବୁଜ ଶକ୍ତି କ୍ଷେତ୍ରରେ ୨ ଲକ୍ଷ କୋଟି, ସାର ଓ ରସାୟନ କ୍ଷେତ୍ରରେ ୮ ହଜାର କୋଟି, ଲଜିଷ୍ଟିକ୍ସ କ୍ଷେତ୍ରରେ ୫ ହଜାର କୋଟି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୫୦୦୦ କୋଟି, ପେପର ଏବଂ ଜଙ୍ଗଲଜାତ ସାମଗ୍ରୀ କ୍ଷେତ୍ରରେ ୫୦୦୦ କୋଟି, ବୟନଶିଳ୍ପ ଓ ପୋଷାକ କ୍ଷେତ୍ରରେ ୨୦୦୦ କୋଟି, ସ୍ବାସ୍ଥ୍ୟସେବା ଓ ଫାର୍ମା କ୍ଷେତ୍ରରେ ୧୫୦୦ କୋଟି, ପର୍ଯ୍ୟଟନ କ୍ଷେତ୍ରରେ ୧୦୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏହାବ୍ୟତୀତ ପ୍ରତିରକ୍ଷା, ମାର୍ବଲ, ସେରାମିକ ଏବଂ ଗ୍ଲାସ ଆଦି କ୍ଷେତ୍ରରେ ମଧ୍ୟ ନିବେଶ ଆସିଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

Related Posts