ଛତିଶଗଡ଼ ସୀମାରେ ମାଓବାଦୀଙ୍କ ଉନ୍ମୁକ୍ତ କାଣ୍ଡ; ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ଗଳା କାଟି ହତ୍ୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଉନ୍ମୁକ୍ତ କାଣ୍ଡ। ସ୍ଥାନୀୟ ଅଞ୍ଚଳରେ ପୁଣି ମାଓହିଂସା ଦେଖିବାକୁ ମିଳିଛି । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଶୁକ୍ରବାର ମାଓବାଦୀ ହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ମିଳିଥିବା ବେଳେ ସେ ହେଉଛନ୍ତି ଫରେଷ୍ଟଗାଓ ଥାନା ଅନ୍ତର୍ଗତ ଖଡ଼କାଗାଓ ଗ୍ରାମର ରାମଲାଲ ପୋଡ଼ାଇ। ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଖଡ଼କାଗାଓ ଗାଁରେ ଆସି ରାମଲାଲଙ୍କୁ ଘରୁ ଡାକି ନେଇଥିଲେ।

ଏହାପରେ ଗାଁ ମୁଣ୍ଡ ରାସ୍ତାରେ ମାଓବାଦୀମାନେ ତାଙ୍କ ଗଳା କାଟି ହତ୍ୟା କରିଛନ୍ତି। ହତ୍ୟା ପରେ ଘଟଣାସ୍ଥଳରେ କିଛି ହାତଲେଖା ପୋଷ୍ଟର ମଧ୍ୟ ଛାଡ଼ି ଯାଇଛନ୍ତି ମାଓବାଦୀ। ଏଥିରେ ଉଲ୍ଲେଖ ରହିଛି ଯେ, ପୋଲିସ ଇନ୍‌ଫର୍ମର ଭାବେ କାର୍ଯ୍ୟ କରୁଥିବାରୁ ରାମଲାଲଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହା ସହ ଏହି ପୋଷ୍ଟରରେ ଫରେଷ୍ଟଗାଓ ଥାନା ଅଧିକାରୀଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଛି। ଏହି ହିଂସାକାଣ୍ଡ ମାଓବାଦୀଙ୍କ ପୂର୍ବ ବସ୍ତର ଡିଭିଜନ କରିଥିବା ନେଇ ଚିଠିରେ ଉଲ୍ଲେଖ ରହିଛି।

Related Posts