ମୋଦୀ ସରକାରଙ୍କ ଉପରେ ଜୋରଦାର ବର୍ଷିଲେ ମମତା, କହିଲେ – ” ଜାସୁସି ରୋକିବା ପାଇଁ ମୋ ଫୋନ୍ କୁ ପ୍ଲାଷ୍ଟର ଲଗାଇ ଦେଇଛି “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପେଗାସସ୍‌ ସ୍ପାଇୱେୟାର ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଜୋରଦାର ହମଲା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୋଦୀଙ୍କୁ ଟାର୍ଗେଟ କରିବା ସଙ୍ଗେ ସଙ୍ଗେ ବିଜେପି ବିରୋଧରେ ସବୁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ସେ ଆହ୍ୱାନ କରିଛନ୍ତି। ପେଗାସସ୍‌ ଦ୍ୱାରା ଚାଲିଥିବା ଗୁଇନ୍ଦାଗିରି ଗଣତନ୍ତ୍ର ପାଇଁ ବିପଦ ବୋଲି ସେ କହିଛନ୍ତି। ଏହା ସହ ସେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ” ମୁଁ ମୋ ଫୋନ୍‌ କ୍ୟାମେରାରରେ ଲିକୋପ୍ଲାଷ୍ଟର ଲଗାଇ ଦେଇଛି। କାରଣ ମୋ ଫୋନ ଟ୍ୟାପ କରାଯାଉଛି। ମୁଁ ଏବେ କାହା ସହ କଥା ହୋଇପାରିବି ନାହିଁ। ତେଣୁ ଆମକୁ ଏ ସରକାରକୁ ପ୍ଲାଷ୍ଟର କରିବା ଦରକାର।” 

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହିଦ ଦିବସରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ୧୯୯୩ ମସିହାରେ ମମତା ବାନାର୍ଜୀ କଂଗ୍ରେସରେ ଥିବାବେଳେ ତତ୍କାଳୀନ ବାମପନ୍ଥୀ ସରକାରଙ୍କ ବିରୋଧରେ ଯୁବ କଂଗ୍ରେସ କର୍ମୀଙ୍କ ରାଲିରେ ପୋଲିସ ଗୁଳିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କୁ ସ୍ମରଣ କରିବା ପାଇଁ ଟିଏମସି ପ୍ରତିବର୍ଷ ୨୧ ଜୁଲାଇରେ ଶହୀଦ ଦିବସ ପାଳନ କରିଥାଏ। ପେଗାସସ୍ ଜାସୁସି ଘଟଣାର ସ୍ବତଃ ସଂଜ୍ଞାନ ନେବାକୁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅପିଲ୍ କରିଛନ୍ତି।

ବିଜେପି ଦେଶରୁ ବହିଷ୍କୃତ ହେବା ପର୍ଯ୍ୟନ୍ତ ‘ଖେଲା ହୋବେ’

 ସିଏମ୍ ବାନାର୍ଜୀ ଆଜି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ରଣହୁଙ୍କାର ଦେବା ସହ ବିରୋଧୀ ଏକତା ପାଇଁ ଆହ୍ବାନ ଦେଇଛନ୍ତି। ସେ ଜୁଲାଇ ୨୭ କିମ୍ବା ୨୮ରେ ଦିଲ୍ଲୀ ଗସ୍ତ କାରିବା ସହ ବିରୋଧୀ ଯଦି କୌଣସି ବୈଠକ କରିବେ, ତା’ହେଲେ ସେଥିରେ ଯୋଗଦେବେ ବୋଲି କହିଛନ୍ତି। ଜାତୀୟ ରାଜଧାନୀରୁ ତାଙ୍କ ରାଲିରେ ଯୋଗ ଦେଇଥିବାରୁ ସିଏମ୍ ବାନାର୍ଜୀ କଂଗ୍ରେସ, ଏନସିପି, ଏସପି, ଶିବସେନା ଏବଂ ଅନ୍ୟାନ୍ୟ ଦଳର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ନିର୍ବାଚନୀ ସ୍ଲୋଗାନ ‘ଖେଲା ହବେ’ ନାରା ଦେଇ ବେଙ୍ଗଲ ସିଏମ କହିଛନ୍ତି ଯେ ରାଜ୍ୟରେ ଗୋଟିଏ ଖେଳ ହୋଇଛି ଏବଂ ଅନ୍ୟ ଏକ ଖେଳ ହେବାକୁ ଯାଉଛି। 

ବାନାର୍ଜୀ କହିଛନ୍ତି, “ଦେଶରୁ ବିଜେପି ହଟାଯିବା ପର୍ଯ୍ୟନ୍ତ ଖେଲା ସବୁ ରାଜ୍ୟରେ ଘଟିବ। ଆମେ ଅଗଷ୍ଟ ୧୬ ରେ ବେଙ୍ଗଲରେ ଖେଲ ଦିବସ ଘୋଷଣା କରିବୁ।” ମମତା କହିଛନ୍ତି, “ଆଜି ଆମର ସ୍ବତନ୍ତ୍ରତା ବିପଦରେ ପଡିଛି। ଏଥି ପାଇଁ ବିଜେପି ଦାୟୀ। ବିଜେପି ଆମର ସ୍ୱାଧୀନତା ପ୍ରତି ବିପଦ ସୃଷ୍ଟି କରିଛି। ସେମାନେ ନିଜ ନିଜ ମନ୍ତ୍ରୀଙ୍କୁ ବିଶ୍ବାସ କରନ୍ତି ନାହିଁ ଏବଂ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରନ୍ତି।” ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଏବେ ଦେଶକୁ ଅନ୍ଧକାରକୁ ଠେଲି ଦେଇଛି। ତେଣୁ ପୁଣି ଥରେ ଦେଶରେ ଆଲୋକ ଫେରାଇ ଆଣିବାକୁ ହେଲେ ଆମ ସମସ୍ତଙ୍କୁ ଆଗକୁ ଆସିବାକୁ ପଡିବ। 

ସେ କହିଛନ୍ତି, “ଗଣତନ୍ତ୍ର ପାଇଁ ୩ଟି କଥା ଦରକାର। ମିଡିଆ, ନ୍ୟାୟପାଳିକା ଓ ନିର୍ବାଚନ କମିଶନ। କିନ୍ତୁ ଏହି ୩ଟି ସଂସ୍ଥାକୁ ପେଗାସସ୍‌ ନିଜ ନିୟନ୍ତ୍ରଣକୁ ନେଇ ସାରିଛି। ସେ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଟାର୍ଗେଟ କରି କହିଛନ୍ତି , ” ମିଷ୍ଟର ମୋଦି ଦୟା କରି ଖରାପ ଭାବିବେନି। ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରୁନି। କିନ୍ତୁ ଆପଣ ଓ ସମ୍ଭବତଃ ଗୃହ ମନ୍ତ୍ରୀ ବିରୋଧୀ ଦଳର ନେତାଙ୍କ ପଛରେ କେନ୍ଦ୍ରୀୟ ଏଜେନ୍ସିକୁ ମୁତୟନ କରିଛନ୍ତି। ଲୋକଙ୍କ ଟିକସ ଟଙ୍କାକୁ ଆପଣ ଜନକଲ୍ୟାଣ ଯୋଜନା ପରିବର୍ତ୍ତେ ସ୍ପାଇୱେୟାରରେ ଖର୍ଚ୍ଚ କରୁଛନ୍ତି। ଏହି ସ୍ପାଇୱେୟାର ଗଣତନ୍ତ୍ର ପାଇଁ ବିପଦ। “

Related Posts