‘ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ମନୀଷ ସିସୋଦିଆ ଜେଲରେ ରହିବେ’: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେରା ପାଇଁ ରବିବାର ସିବିଆଇ ପକ୍ଷରୁ ସମନ ଜାରି କରାଯାଇଥିଲା। ସମନ ପାଇ ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ମନୀଷ ସିସୋଦିଆ। ଏବେ ତାଙ୍କୁ ପଚରାଉଚରା କରାଯାଉଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।ଏହା ସହ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ସିସୋଦିଆ ଜେଲରେ ରହିବେ ବୋଲି କହିଛନ୍ତି କେଜ୍ରିୱାଲ।

ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ବିଜେପି ଏଭଳି କରୁଥିବା କେଜ୍ରିୱାଲ ଦାବି କରିଛନ୍ତି। ସିସୋଦିଆ ଯେପରି ପ୍ରଚାର କରିବାକୁ ଗୁଜରାଟ ନଯାଇପାରିବେ ସେଥିପାଇଁ ବିଜେପି ଏଭଳି ଷଡ଼ଯନ୍ତ୍ର କରୁଥିବା କେଜ୍ରିୱାଲ କହିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ, ‘ଗୁଜରାଟର ଫଳାଫଳ ଡିସେମ୍ବର ୮ରେ ଆସିବ। ଏମାନେ ମନୀଷଙ୍କୁ ସେ ପର୍ଯ୍ୟନ୍ତ ଜେଲରେ ରଖିବ। ଯାହାଫଳରେ ମନୀଷ ଗୁଜରାଟ ନିର୍ବାଚନରେ ​​ପ୍ରଚାର କରିବାକୁ ଯାଇପାରିବେ ନାହିଁ।

ତେବେ ଏହାପୂର୍ବରୁ ରବିବାର ସିସୋଦିଆଙ୍କୁ ସିବିଆଇ ସମନ ପଠାଇବା ପରେ ଆପ୍ ନେତାମାନେ ତାଙ୍କ ଗିରଫଦାରୀକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ। ଆମ୍ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ କହିଥିଲେ ଯେ, ମନୀଷ ସିସୋଦିଆଙ୍କୁ ଆସନ୍ତାକାଲି ସିବିଆଇ ଡକାଇ ତାଙ୍କୁ ଗିରଫ କରିବ। କୁହାଯାଉଥିଲା ଯେ ୧୦ହଜାର କୋଟିର ଏକ ଘୋଟାଲା ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ଏବଂ ଇଡି ୫୦୦ ସ୍ଥାନରେ ଚଢ଼ଉ କରିସାରିଛନ୍ତି। ସିବିଆଇ ମନୀଷ ସିସୋଦିଆଙ୍କ ଘରେ ୧୪ଘଣ୍ଟା ରହି ଯାଞ୍ଚ କଲା, ହେଲେ କୌଣସି ସ୍ଥାନରୁ କିଛି ମିଳିଲା ନାହିଁ। ଏସବୁ ଗୁଜରାଟ ନିର୍ବାଚନ ସହ ଜଡିତ। ବିଜେପି ଏବଂ ଆପ୍ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେଉଥିବାରୁ ବିଜେପି ଭୟରେ ଏଭଳି କରୁଛି ବୋଲି ଭରଦ୍ୱାଜ କହିଛନ୍ତି।

Related Posts