ହରିୟାଣାରେ ମନୋହର ଲାଲ୍ ଖଟ୍ଟର ହେବେ ମୁଖ୍ୟମନ୍ତ୍ରୀ , ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ : ଆଜି ଶପଥ

(ସତ୍ୟପାଠ ବ୍ୟୁରୋ) ହରିୟାଣା: ଆଜି ଦୀପାବଳିରୁ ଦ୍ବିତୀୟ ଇନିଂସ୍‌ ଆରମ୍ଭ କରିବେ ମନୋହର ଲାଲ ଖଟ୍ଟର। ଶନିବାର ବିଜେପି ବିଧାୟକ ଦଳ ବୈଠକରେ ଖଟ୍ଟରଙ୍କୁ ନେତା ଭାବେ ବଛାଯିବା ସହ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛି ବିଜେପି । ଗତକାଲି ସରକାର ଗଠନ ପାଇଁ ବିଜେପିକୁ ସମର୍ଥନ ଜଣାଇ ରାଜ୍ୟପାଳଙ୍କୁ ଭେଟିଥିଲେ ଜେଜେପି ନେତା ଦୁଷ୍ୟନ୍ତ ଚୌଟାଲା । ଆଜି ଅପରାହ୍ନରେ ଚଣ୍ଡୀଗଡ଼ସ୍ଥିତ ରାଜଭବନରେ ମନୋହରଲାଲ୍‌ ଖଟ୍ଟର ମୁଖ୍ୟମନ୍ତ୍ରୀ ଓ ଜେଜେପି ନେତା ଦୁଷ୍ୟନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ଅନ୍ୟପଟେ ଗୋପାଳ କାଣ୍ଡାଙ୍କ ସମର୍ଥନ ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ଦେଇ ମନୋହର ଲାଲ ଖଟ୍ଟର କହିଛନ୍ତି ଜେଜେପିର ୧୦ ଜଣ ଓ ଅନ୍ୟ ୭ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ସେ ଗଢୁଛନ୍ତି ସରକାର । ଗୋପାଳ କାଣ୍ଡାଙ୍କର ସମର୍ଥନ ନେବ ନାହିଁ ତାଙ୍କ ସରକାର ।

ହରିୟାଣାରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇଥିବାବେଳେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବିଜେପିରୁ ଉପମୁଖ୍ୟମନ୍ତ୍ରୀ ଭାବେ ଅନୀଲ ବିଜ୍‌ଙ୍କ ନାଁ ଚର୍ଚ୍ଚା ହେଉଛି । ମ୍ୟାଜିକ୍‌ ନମ୍ବରଠାରୁ ବିଜେପି ଦୂରରେ ରହିବା ସହ ଜେଜେପିକୁ ୧୦ଟି ଆସନ ମିଳିବା ପରେ ହରିୟାଣାରେ କ୍ଷମତା ଦଖଲ ନେଇ ଆଶା ବାନ୍ଧିଥିଲା କଂଗ୍ରେସ । କିନ୍ତୁ ଜେଜେପି ବିଜେପି ସହ ଯିବାକୁ ସ୍ଥିର କରିବା ସହ ମଉଳିଯାଇଛି କଂଗ୍ରେସର ସ୍ବପ୍ନ ।

Related Posts