ମହାରାଷ୍ଟ୍ରରେ କିଙ୍ଗ ମେକର ହୋଇପାରେ NCP !

ମହାରାଷ୍ଟ୍ରରେ ବିଜେପି ସିନା ବଡ଼ ଦଳ ହେଲା କିନ୍ତୁ ସେ ଖୁସି ପାଇପାରିଲାନି, ଯାହାର ଆଶା କରିଥିଲା ଦଳ । କଂଗ୍ରେସ ଦୁର୍ବଳ ଓ ଅସହାୟ ଥିବାରୁ ଏଥର ରାସ୍ତା ପୁରା ସଫା ଦେଖାଯାଉଥିଲା । କିନ୍ତୁ ଶରଦ ପାୱାରଙ୍କ ଏନ୍‌ସିପି ଏବଂ ଶିବସେନା ମହାରାଷ୍ଟ୍ରରେ ଖୁବ ଭଲ କରି ବିଜେପିର ସଫା ରାସସ୍ତାରେ କଣ୍ଟା ପକେଇଦେଲେ । ଏଥର ପୁରା ହୋଇପାରିଲାନି ବିଜେପିର ଅବ୍‌କି ବାର୍‌ ୨୦୦ ପାର୍‌ ନାରା । ଏବେ ଶିବସେନାର 50-50 ଫର୍ମୁଲା ଜିଦ୍ ହଜାଇ ଦେଇଛି ବିଜେପିର ନିଦ । ମୁମ୍ବାଇସ୍ଥିତ ଶିବସେନା ମୁଖ୍ୟାଳୟରେ ଦଳର ନୂଆ ବିଧାୟକଙ୍କର ବୈଠକରେ ଜୋରଦାର ଉଠିଛି 50-50 ଫର୍ମୁଲା ପ୍ରସଙ୍ଗ । ଏଥର ମୁଖ୍ୟମନ୍ତ୍ରୀ ପଦ ପାଇଁ ଲିଖିତ ପ୍ରତିଶ୍ରୁତି ମାଗିଛି ଶିବସେନା । ସବୁ ଶିବ ସୈନିକ ଶିବସେନାରୁ ହିଁ ମୁଖ୍ୟମନ୍ତ୍ରୀ ଦେଖିବାକୁ ଚାହୁଁଥିବା ଖୋଲାଖୋଲି କହିଛନ୍ତି ଦଳର କିଛି ବିଧାୟକ । ସେମାନଙ୍କ ଦାବି ମେଣ୍ଟ ଗଠନ ସମୟରେ ୫୦-୫୦ ଫର୍ମୁଲା ଉପରେ ଯେଉଁ ନିଷ୍ପତ୍ତି ହୋଇଥିଲା ତାହା କାର୍ଯ୍ୟକାରୀ କରାଯାଉ । ଅର୍ଥାତ ପ୍ରଥମ ଅଢ଼େଇ ବର୍ଷ ଶିବସେନାର ମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ଅଢ଼େଇ ବର୍ଷ ବିଜେପିର ମୁଖ୍ୟମନ୍ତ୍ରୀ ହେବେ । ଏନେଇ ଉଦ୍ଧବ ଠାକ୍‌ରେ ନେବେ ନିଷ୍ପତ୍ତି କିନ୍ତୁ ବିଜେପିଠାରୁ ଲିଖିତ ପ୍ରତିଶ୍ରୁତି ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।

ଇସାରା ପୁରା ସ୍ପଷ୍ଟ ଯେ ଶିବସେନା ଏବେ ମହାରାଷ୍ଟ୍ରର ଶାସନଗାଦି ସିଂହାସନରେ ବସି କରିବାକୁ ଚାହୁଁଛି । ଏହା ଭିତରେ ମୁମ୍ବାଇରେ ଆଦିତ୍ୟ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ ଦର୍ଶାଇ ପୋଷ୍ଟର ମାଧ୍ୟମରେ ଅଭିନନ୍ଦନ ବାର୍ତ୍ତା ବି ଜଣାଇଲେଣି ଶିବ ସୈନିକ । ଅର୍ଥାତ୍‌ ଏକଥା ସ୍ପଷ୍ଟ ଯେ ଶିବସେନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଉପରେ ନିଜର ଦାବି ଜୋରଦାର କରୁଛି । ଏତିକି ନୁହେଁ ଶିବସେନାର ମୁଖପତ୍ର ସାମ୍‌ନାରେ ଶିବସେନା, ବିଜେପିକୁ ବ୍ୟସ୍ତ କରିବା ଭଳି ଆଉ ଏକ ସଙ୍କେତ ଦେଇଛି । ମହାଜନାଦେଶର ଶବ୍ଦରୁ ମହା କାଟି ଦେଇ ବିଜେପିର ବିଜୟ ଗୁରୁତ୍ବକୁ କମାଇ ଦେଇଛି । ଏସବୁ ସତ୍ତ୍ବେ ଦେବେନ୍ଦ୍ର ଫଡବାଭୀସଙ୍କ ରାସ୍ତା ସଫା ଦେଖାଯାଉଛି । କାରଣ ଶିବସେନାର ଶକ୍ତି ସେତେ ନାହିଁ, ଯେ ଦଳ ବିଜେପିର ଶକ୍ତିକୁ ଖୋଲା ଆହ୍ବାନ ଦେଇପାରିବ । କିନ୍ତୁ ବିଜେପି-ଶିବସେନାର ସମ୍ପର୍କର ସନ୍ତୁଳନ ଯେ ଏବେ ଦୋହଲୁଛି ଏକଥାରେ ସନ୍ଦେହ ନାହିଁ । ଅନ୍ୟପଟେ ଶିବସେନା ସହ ମେଣ୍ଟ କରିବାକୁ ଏନ୍‌ସିପି ମୁଖ୍ୟ ଶରଦ ପାୱାର ବି ମନା କରିଥିବା ଜଣାପଡ଼ିଛି । ଏଥର ନିର୍ବାଚନ ପରିସ୍ଥିତି ଉଭୟ ବିଜେପି ଓ ଶିବସେନା ପାଇଁ ବଦଳିଯାଇଛି ।  ଲୋକସଭା ନିର୍ବାଚନ ଯାଏଁ ସମ୍ପର୍କରେ ଅଧିକ ମଜବୁତ ଥିଲା ବିଜେପି । କିନ୍ତୁ ଶିବସେନାର ଦୃଢ଼ତା ବଢ଼ିଛି, ଯାହା ଆଗାମୀ ଦିନରେ ନୂଆ ସମୀକରଣର ସମ୍ଭାବନା ସୃଷ୍ଟି କରିଛି ।

ଅନ୍ୟପଟେ ମହାରାଷ୍ଟ୍ରରୁ ବିଜେପିକୁ କ୍ଷମତା ବାହାରେ ରଖିବା ପାଇଁ ଶିବସେନାକୁ ସମର୍ଥନ ଦେବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳୁଛି । ଯଦି ଏଭଳି ହୁଏ ତେବେ ନିର୍ବାଚନ ପୂର୍ବରୁ ହାଲ୍‌କା ଭାବୁଥିବା ଏନ୍‌ସିପି ଉପରେ ଏବେ ସମସ୍ତଙ୍କ ନଜର ରହିଛି । କାରଣ ଯଦି ବିଜେପି ଶିବସେନା ଦାବି ଉପରେ ରାଜି ନହୁଏ ତେବେ ମହାରାଷ୍ଟ୍ର ରାଜନୀତିରେ ଏନ୍‌ସିପି ଯେ କିଙ୍ଗ ମେକର ହେବ ଏଥିରେ ସନ୍ଦେହ ନାହିଁ । ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦେଇ ଉଭୟ ଏନ୍‌ସିପି ଏବଂ କଂଗ୍ରେସ ମହାରାଷ୍ଟ୍ରରେ କ୍ଷମତାକୁ ଫେରିବାକୁ ଯୋଜନା କରିବାକୁ ଚିନ୍ତା କରିପାରନ୍ତି ବୋଲି ରାଜନୈତିକ ବିସାରଦମାନେ ଆଲୋଚନା କରୁଛନ୍ତି ।

Related Posts