ନବୀନ ଗଣନାଟ୍ୟର ପୂଜା ଭେଟି; ‘ଓଡିଶା-ମୋ ପରିବାର’

(ସତ୍ୟପାଠ ବ୍ୟୁରୋ): 2018 ପରଠୁ ବିଜ୍ଞାପନ ଓ ପ୍ରଚାର ପ୍ରସାରରେ ଓଡ଼ିଶାବାସୀଙ୍କୁ ନିଜର କରିବାର ପ୍ରୟାସ ଆରମ୍ଭ ହୋଇଛି । ମୋ ସ୍କୁଲ, ମୋ ବସ୍, ମୋ ସାଇକେଲ, ମୋ ସରକାର ଏବେ ପୁଣି ଓଡ଼ିଶା ମୋ ପରିବାର ।  କିନ୍ତୁ ୟାକୁ ନେଇକି ବିରୋଧି ଓ ବୁଦ୍ଧିଜୀବୀମାନଙ୍କ କହିବା କଥା ଏସବୁ କାର୍ଯ୍ୟକ୍ରମରେ ନାମକରଣର ଚାତୁରି ଅଧିକା ଅଛି କିନ୍ତୁ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାର ଆନ୍ତରିକତା ଆଉ ନିଷ୍ଠା ବହୁତ କମ । ଏସବୁ ଯୋଜନା ନିର୍ବାଚନ ପୂର୍ବରୁ ହୋଇଛି । ଆଗକୁ ଆସୁଥିବା ପୌରପାଳିକା ନିର୍ବାଚନ ପୂର୍ବରୁ ଏବେ ଓଡ଼ିଶା ମୋ ପରିବାର କରି କେବଳ ପ୍ରସାର ପ୍ରଚାର ଜରିଆରେ ଶାସକ ଦଳ ଲୋକଙ୍କୁ ଭାବାବେଗ ସହ ଖେଳୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । ସବୁ ଯୋଜନା ବା କାର୍ଯ୍ୟକ୍ରମକୁ ଲକ୍ଷ୍ୟ କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ‘ମୋ’ ଥିମ୍‌ ଟା ନିଶ୍ଚିତ ଓଡ଼ିଶା ବାହାରୁ ଆସିଛି । କାରଣ ଓଡ଼ିଆ ଲୋକ କେବେ ବି ନିଜ ଆତ୍ମୀୟ ଲୋକଙ୍କୁ ’ମୋ’ର ନୁହେଁ ବରଂ ଆମର ବୋଲି କହିଥାନ୍ତି । ଏ ପ୍ରଶ୍ନ ଏଇଥିପାଇଁ ଉଠୁଛି କାରଣ ନବୀନଙ୍କ ‘ମୋ’ ଯୋଜନା ବା କାର୍ଯ୍ୟକ୍ରମକୁ ଦେଖିଲେ ଗୋଟିଏ ପ୍ରଶ୍ନ ଓଡ଼ିଆ ଲୋକଙ୍କୁ ଆନ୍ଦୋଳିତ କରୁଛି ତାହା ହେଲା ନବୀନ କ’ଣ ଆଗରୁ ଆମକୁ ଆନ୍ଧ୍ର କିମ୍ବା ବଙ୍ଗଳାର ଲୋକ ବୋଲି ଭାବୁଥିଲେ କି ? ତାହା ହେଲେ କଣ ନବୀନ 18 ବର୍ଷ ଧରି ଓଡ଼ିଆ ଲୋକଙ୍କୁ ନିଜର ବୋଲି ଭାବି ନଥିଲେ । ଏବେ ନବୀନଙ୍କର ମୋ ଭାବ ଜାଗି ଉଠିବାର କାରଣ କ’ଣ । ପ୍ରକୃତରେ ଏହା ନବୀନଙ୍କ ଥିମ୍‌ ନା ଅଣଓଡ଼ିଆ ଲୋକଙ୍କ ଥିମ୍ ?

ଏସବୁ ଘଟଣାରେ ନବୀନ ବାବୁ ଚୁପ୍ ରହିଲେ ପୂରା ପ୍ରଶାସନ ବି ଚୁପ ରହିଲା । ମୃତ ଶିଶୁଙ୍କ ପରିବାର ପାଖକୁ ଗଣମାଧ୍ୟମଠାରୁ ଆରମ୍ଭ କରି ବିରୋଧୀ ନେତାମାନେ ଯାଇ ସମବେଦନା ଜଣାଇଲେ । ତାଙ୍କ ଦୁଃଖ ସମୟରେ ତାଙ୍କ ପରିବାର ଲୋକଙ୍କ ଦୁଃଖ ବାଣ୍ଟିଲେ । ହେଲେ ଓଡ଼ିଶା ମୋ ପରିବାର କହୁଥିବା ମୁଖିଆ ଦିନେ ହେଲେ ତାଙ୍କ ନିକଟକୁ ଗଲେ ନାହିଁ । ସେହି ନିଷ୍ପାପ ଶୁଶୁମାନେ କ’ଣ ମୋ ପରିବାରର ନଥିଲେ ।

ସରକାର ଗତ ୧୯ ବର୍ଷରେ ରାଜ୍ୟବାସୀଙ୍କ ଉପରେ ମୁଣ୍ଡ ପିଛା ୩୦ ହଜାର ଟଙ୍କାର ଋଣ ଲଦି ଦେଇଛନ୍ତି । ଇତିଶ୍ରୀ, ବେବିନା, କୁନ୍ଦୁଲି ପରେ ଏବେ VLW ସ୍ମିତାରାଣୀ ହତ୍ୟାକାଣ୍ଡ ଏ ରାଜ୍ୟବାସୀଙ୍କୁ ଉପଢୌକନ ଦେଇଛି । ଆଜିବି ମୋ ପରିବାରର ଭେଣ୍ଡିଆ ଟୋକା ପେଟ ବିକଳରେ ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । ଅପପୁଷ୍ଠିର ନଗଡ଼ା ହେଉ ବା ମାଲକାନଗିରିର ଜାପାନୀ ଏନସେଫଲାଇଟସ୍ ରୋଗ ହେଉ ସବୁ ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି । ମାଲକାନଗିରିରେ ଏକା ଥରକରେ ଏନସେଫଲାଇଟସ୍ ରୋକରେ ଆକ୍ରାନ୍ତ ହେଲେ 300ରୁ ଅଧିକ ପିଲା ଆଉ ସେମାନଙ୍କ ମଧ୍ୟରୁ 103 ଶିଶୁଙ୍କ ମୃତ୍ୟୁ ହେଲା । ହେଲେ ଦିନଟିଏ ବି ନବୀନ ତାଙ୍କ ପରିବାରକୁ ଭେଟିବାକୁ ଗଲେ ନାହିଁକି ସେମାନଙ୍କ ପରିବାରକୁ ସମବେଦନା ଜଣାଇଲେ ନାହିଁ ।

ଥାନା ଆଉ ଡାକ୍ତରଖାନାର କଥା ଫୋନ ଯୋଗେ ବୁଝୁଥିବା ନବୀନ ବାବୁ ସ୍ମିତାରାଣୀ ମୃତ୍ୟୁର ଏଗାର ଦିନ ପରେବି ଥରୁଟିଏ ପାଟି ଖୋଲିଲେ ନାହିଁ । କାହିଁକି ଏମାନେ କ’ଣ ଆପଣଙ୍କ ପରିବାରର ନୁହଁନ୍ତି କି ? ଯଦି ହଁ ତା’ହେଲେ ଏତେ ନାଟକ କ’ ପାଇଁ ? ସତରେ କ’ଣ ମୋ ପରିଵାରର କେହି ଏମିତି ଭୋକ ଉପାସରେ ଛଟପଟ ହେଉଥିଲେ ଧର୍ଷଣ ହତ୍ୟାର ଶିକାର ହେଉଥିଲେ ମୁଁ ନିରବ ରହିପାରିବି ? ଭି.ଏଲ.ଡବ୍ଲୁ ସ୍ମିତାରାଣୀ ମୃତ୍ୟୁ ଉପରୁ ରହସ୍ୟ ହଟାଇବା କ’ଣ ପରିବାରର ମୁଖିଆଙ୍କ କାମ ନୁହେଁ କି ? ଦୁନିଆକୁ ବୁଝିନଥିବା ସ୍ମିତାରାଣୀଙ୍କ ୪ ବର୍ଷର ଝିଅ ‘ଖୁସି’ର ଓଡ଼ିଆ କାନ୍ଦକୁ କ’ଣ ମୋ ପରିବାରର ମୁଖିଆ ବୁଝିପାରୁନାହାନ୍ତି । ଏସବୁ ଘଟଣା କେବଳ ନୂଆ ନାଟକ ଆଉ ସମୟ ସୁଯୋଗ ଦେଖି ଖାଲି ଶିରୋନାମା ବଦଳାଇବାର ଏକ ଅପଚେଷ୍ଠା ବୋଲି ଜଣାପଡ଼ୁଛି ।

ଯାତ୍ରା ଋତୁ ଆସିଲେ ଯାତ୍ରା ପାର୍ଟି ମାଲିକମାନେ ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ମଞ୍ଚ ପରିଚାଳନାଠାରୁ ଆନୁସଙ୍ଗିକ ଅନେକ ଆଇଟମରେ ପରିବର୍ତ୍ତନ ଆଣିଥାନ୍ତି । କିନ୍ତୁ ସର୍ବାଧିକ ଯେଉଁ ବିଷୟରେ ଗୁରୁତ୍ୱ ଦେଇଥାନ୍ତି ତା’ହେଲେ ମନକୁ ପାଇଲା ଭଳି ନୂଆ ନାଟକ, ଆଉ ଆକର୍ଷଣୀୟ ଶିର୍ଷକ । ଏଇ ଯେପରି ଦେଢ ଦିନର ସ୍ବାମୀ, କଥା ରହିଲା ମୋ ମଗୁସୁରକୁ, ସାବତ ସ୍ବାମୀ ଇତ୍ୟାଦି । ଗତକାଲି ରାଜ୍ୟରେ ଗତ ୧୯ ବର୍ଷ ଧରି ଶାସନ କରିଆସୁଥିବା ବିଜୁ ଜନତା ଦଳ ଆସନ୍ତା ସିଜିନ୍ ପାଇଁ ଏକ ନୂଆ ନାଟକର ଶିର୍ଷକ ଉନ୍ମୋଚନ କରିଛି । ଅତିତରେ ରାଜ୍ୟବାସୀଙ୍କୁ ଏହିପରି ଅନେକ ନୂଆ ନାଟକ ଭେଟି ଦେଇ ସଫଳତା ସାଉଁଟି ଥିବା ବିଜେଡି ଆଗାମୀ ସିଜିନ ପାଇଁ ଆଉ ଏକ ଆକର୍ଷଣୀୟ ନାଟକ ଉନ୍ମୋଚନ କରିଛି । ଏକଥା ଏଥିପାଇଁ କୁହାଯାଉଛି ଯେତବେଳେ ରାଜ୍ୟରେ କିଛି ସଙ୍କଟ ଦେଖାଯାଇଛି ସାଧାରଣରେ ସରକାରର ଛବି ମଳିନ ପଡିବାର ସମ୍ଭାବନା ଦେଖାଯାଇଛି ଠିକ୍ ସେତିକି ବେଳେ ଏଭଳି ନୂଆ ନାଟକର ଆବିସ୍କାର କରାଯାଇଛି ।  ଯେତବେଳେ କୁନ୍ଦୁଲି ପୀଡିତାକୁ ନେଇ ସାରା ରାଜ୍ୟ ଉଠପଡ ହେଉଥିଲା ସେତବେଳେ ନାଟକ ‘ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ’ ଆଉ ‘କଥା ନୁହେଁ କଠିନ ପରିଶ୍ରମ’ ଉନ୍ମୋଚିତ ହୋଇଥିଲା ।  2019 ସାଧାରଣ ନିର୍ବାଚନ ପୂର୍ବରୁ ‘ଶଙ୍ଖ ମୋ ଚିହ୍ନ ନବୀନ ମୋ ପରିବାର’ କୃଷି କଲେ ଉନ୍ନତ ସକଳ ଉନ୍ନତି’ ଉନ୍ମୋଚିତ ହୋଇଥିଲା । ସବୁଠାରୁ ଅଧିକ ଶ୍ରେୟ ଯିବ ଏ ଶିର୍ଷକ ଚୟନର ଦାୟିତ୍ୱ ନେଇଥିବା ଅଧିକାରୀମାନଙ୍କୁ । ଗୋଟିଏ ପରେ ଗୋଟିଏ ନାଟକ ସୁପର ହିଟ୍ ହେବାପରେ ଉଭୟ ନବୀନ ବାବୁ ଏବଂ ତାଙ୍କ ନାଟକର ଶିରୋନାମା ପ୍ରସ୍ତୁତ ଗୋଷ୍ଠୀ ଖୁବ୍ ଉତ୍ସାହିତ ହୋଇପଡିଛନ୍ତି ।

ଗୋଟିଏ ପଟେ ନାରୀ ନିର୍ଯ୍ୟାତନା ଅପପୁଷ୍ଟି ବେରୋଜଗାରୀର ପଦଧ୍ବନୀ ଶାସକକୁ ବିଚଳିତ କରିଦେଉଥିବା ବେଳେ ଏଭଳି ବଳିଷ୍ଠ ସମୟୋପଯୋଗୀ ନାଟକ ରଚନା କରିବା ଆଉ ମନଲୋଭା ଶିରୋନାମା ଚୟନ କରିବା ଅନେକାଂଶରେ ବିପଦକୁ ଅତିକ୍ରମ କରିବାରେ ସହାୟକ ହେଉଛି । ସଂଖ୍ୟାଧିକ ନେତାଙ୍କୁ ଥଇଥାନ ପାଇଁ ଏଭଳି ନୂଆ ନାଟକର ସଂରଚନା ଏକାନ୍ତ ଆବଶ୍ୟକ ବୋଲି ଜଣାପଡୁଛି । ନିକଟରେ ମୁମ୍ବାଇ ପୋଲିସ କମିସନର ଭାବେ ଅବସରପ୍ରାପ୍ତ ଅରୂପ ପଟ୍ଟନାୟକଙ୍କୁ ଏହି ଯୋଜନାର ଆବାହକ ନିଯୁକ୍ତ କରାଯାଇଛି । ବିଭିନ୍ନ ବିଭାଗର ପରାମର୍ଶଦାତା ନିଯୁକ୍ତି ପରି ଓଡିଶା ମୋ ପରିବାର କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ କିଛି ପରାଜିତ ଆଉ ଅସନ୍ତୁଷ୍ଟ ନେତାଙ୍କୁ ସଭ୍ୟ ଭାବରେ ଅବସ୍ଥାପିତ କରାଯାଇଛି । ଦିନେ ଯେଉଁ ବ୍ୟକ୍ତିଙ୍କୁ ବିଜୁ ଯୁବ ବାହିନୀର ମୁଖ୍ୟ ସେନାପତି ଭାବରେ ଅବସ୍ଥାପିତ କରିଥିଲେ ନବୀନ ବାବୁ ଏବେ ତାଙ୍କୁ ପୁଣି ଏହି ଯୋଜନାର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ଓଡିଶାବାସୀ ଯେତିକି ସରଳ ତାଠାରୁ ଅଧିକ ସମ୍ବେଦନଶୀଳ, ପଦୁଟିଏ ମିଠା କଥା ଆପଣାର ଭାବରେ ସର୍ବଶ୍ବ ତ୍ୟାଗ କରିଦେବାର ଅନେକ ନଜୀର ଅଛି । ସେହି କଥାକୁ ଭଲରେ ବୁଝିଥିବା ବିଜୁ ଜନତା ଦଳ, ସମାନ କଥାବସ୍ତୁକୁ ଗୋଟିଏ ପରେ ଗୋଟିଏ ସିରୋନାମା ବଦଳାଇ ଯେଉଁ ଅଭିନବ ଠକାମୀର ଯୋଜନା କରିଚାଲିଛି ତାହା ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ଭାରି ପଡ଼ିବ ବୋଲିସ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Related Posts