ମାର୍ଗାରେଟ ଆଲଭା ହେଲେ ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖେଡଙ୍କ ନାମ ଘୋଷଣା କରାଯାଇଥିଲା । ସେପଟେ ଆଜି ବିରୋଧୀ ମେଣ୍ଟ ପକ୍ଷରୁ ମାର୍ଗାରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

ଏନସିପି ନେତା ଶରଦ ପାୱାରଙ୍କ ଦିଲ୍ଲୀସ୍ଥିତ ବାସଭବନରେ ବିରୋଧୀ ମେଣ୍ଟ ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଂଗ୍ରେସ, ଏନସିପି, ବାମଦଳ, ସମାଜବାଦୀ ପାର୍ଟି ସମେତ ଅନେକ ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶରଦ ପାୱାର ଏନଡିଏର ଜଗଦୀପ ଧନଖେଡଙ୍କ ବିରୋଧରେ ମାର୍ଗାରେଟ ଆଲଭାଙ୍କ ପ୍ରାର୍ଥୀ କରାଯାଇଛି ବୋଲି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ମାର୍ଗାରେଟ ଆଲଭା ହେଉଛନ୍ତି ଜଣେ ବରିଷ୍ଠ କଂଗ୍ରେସ ନେତ୍ରୀ ଓ ସେ ଏହା ପୂର୍ବରୁ ରାଜସ୍ଥାନର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ତେବେ ମାର୍ଗାରେଟ ଆଲଭା ଆଗାମୀ ୧୯ ତାରିଖରେ ନିଜର ନାମାଙ୍କନ ଦାଖଲ କରିବା ନେଇ ସୂଚନା ମିଳିଛି।

Related Posts