ଉପ ରାଷ୍ଟ୍ରପତି ନିର୍ବାଚନ: ମାର୍ଗାରେଟ୍ ଆଲଭା ହେଲେ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ

ନୂଆଦିଲ୍ଲୀ: ବିରୋଧୀଙ୍କ ପକ୍ଷରୁ ଘୋଷଣା ହେଲା ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ । ମାର୍ଗାରେଟ୍ ଆଲଭାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ବିରୋଧି । ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ରବିବାର ଏହାର ଘୋଷଣା କରିଛନ୍ତି।

ମାର୍ଗାରେଟ୍ ଆଲଭା ହେଉଛନ୍ତି ଗୋଆର ପୂର୍ବତନ ରାଜ୍ୟପାଳ। ସେ କର୍ଣ୍ଣାଟକ ନିବାସୀ।

ମାର୍ଗାରେଟ ଆଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ଥିଲେ ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଯୁଗ୍ମ ସଚିବ ଥିଲେ।
ସୂଚନା ମୁତାବକ ବିରୋଧୀ ଦଳର ନେତାମାନେ ଆଜି ଦିଲ୍ଲୀରେ ଏକ ବୈଠକ କରିଥିଲେ | ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ଆଜି ଏହି ବୈଠକରେ ମାର୍ଗାରେଟ ଆଲଭାଙ୍କୁ ପ୍ରାର୍ଥୀ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା | ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମଦଳ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ସମାଜବାଦୀ ପାର୍ଟି (ଏସପି) ସମେତ ସମସ୍ତ ପ୍ରମୁଖ ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ।

ସୂଚନା ଥାଉ କି ବର୍ତ୍ତମାନ ଉପରା‌ଷ୍ଟ୍ରପତି ଥିବା ଏମ୍‌ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୦ରେ ଶେଷ ହେଉଛି। ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୧୯ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଉଲ୍ଲେଖଯୋଗ୍ୟ ଯେ ରା‌ଷ୍ଟ୍ରପତି ନିର୍ବାଚନ ପରି ସମାନ ଢଙ୍ଗରେ ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଇଲେକ୍ଟୋରାଲ କଲେଜ ଦ୍ବାରା ହେବ। ତେବେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଏବଂ ରାଜ୍ୟସଭାର ନିର୍ବାଚିତ ଏବଂ ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ୍‌ କଲେଜ ଭାଗ ନେବ। ଏହି ନିର୍ବାଚନରେ ରାଜ୍ୟମାନଙ୍କର କୌଣସି ଭୂମିକା ନାହିଁ। ସଂସଦରେ ବର୍ତ୍ତମାନ ମୋଟ୍‌ ସଦସ୍ୟ ୭୮୦। ନିର୍ବାଚନ ଜିତିବାପାଇଁ ଆବଶ୍ୟକ ସଂଖ୍ୟା ୩୯୦ ଥିବା ବେଳେ ବିଜେପି ନିକଟରେ ଅଧିକ ସଂଖ୍ୟା ଅଛି ।

Related Posts