ପଶ୍ଚିମବଙ୍ଗର ବୀରଭୂମରେ ବ୍ୟାପକ ହିଂସା: ଟିଏମସି ନେତାଙ୍କୁ ହତ୍ୟା କରିବା ଘଟଣାକୁ ନେଇ ଜୀବନ୍ତ ଦଗ୍ଧ ହୋଇଗଲେ 7

ପଶ୍ଚିମବଙ୍ଗର ବୀରଭୂମରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଜଣେ ଟିଏମସି ନେତାଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବ୍ୟାପକ ହିଂସାକାଣ୍ଡ ଘଟିଛି । ମଙ୍ଗଳବାର ଏହି ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଏଠାରେ ଟିଏମସି କର୍ମୀମାନେ ୫ଟି ଘରର କବାଟ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ଫଳରେ ନିଆଁରେ ଜଳିଯାଇ ୭ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ବୀରଭୂମର ରାମପୁରହାଟରେ ଏହି ଘଟଣା ଘଟିଛି । କୁହାଯାଉଛି ଯେ, ରାମପୁରହାଟରେ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିଲା । ଏହାର ପ୍ରତିଶୋଧ ନେବାକୁ କର୍ମୀମାନେ ୫ଟି ଘର ପୋଡି ଦେଇଛନ୍ତି । ଯଦ୍ୱାରା ୭ ଜଣ ପ୍ରାଣ ହରାଇଛନ୍ତି । ଘଟଣା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଏହାସହ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଁଚିଛନ୍ତି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ବୀରଭୂମର ରାମପୁରହାଟରେ ସୋମବାର ଟିଏମସି ନେତା ଯାଦୁ ଶେଖଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ । ଶେଖଙ୍କ ଉପରେ ବୋମାମାଡ କରାଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

କୁହାଯାଉଛି ଯେ, ଟିଏମସିର ପଞ୍ଚାୟତସ୍ତରୀୟ ନେତା ଶେଖଙ୍କୁ କିଛି ଦୁର୍ବୃତ୍ତ ବୋମା ମାଡ କରିଥିଲେ । ସେ ୫୦ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

Related Posts