ଶିମଳିପାଳ ବନରକ୍ଷୀ ସହିଦ ବିମଳଙ୍କ ସ୍ତ୍ରୀ ପ୍ରଶ୍ନରେ ଲଙ୍ଗଳା ହେଲା ମୋ ସରକାର

ଭୁବନେଶ୍ୱର,୨୪/୫(ସତ୍ୟପାଠ ବ୍ୟୁରୋ): ଗତ ୨୨ ମେ ସୋମବାର ରାଜ୍ୟ ବନ ବିଭାଗ ପାଇଁ କଳା ଦିବସ। ବନରକ୍ଷୀ ବିମଳ କୁମାର ଜେନାଂକୁ ହତ୍ୟା ରାଜ୍ୟ ସରକାରଂକ ପାଇଁ ଘୋର ଲଜ୍ଜା। ପ୍ରଶାସନରେ ଟିମ୍ ଓ୍ବାର୍କ ଓ ଟେକ୍ନୋଲଜିର ଅବ୍ୟର୍ଥ ମିଶ୍ରଣକୁ ନେଇ ମୋ ସରକାର ଓ ଫାଇବ୍ ଟି ରେ ଚାଲିଛି ଅପର୍ଯ୍ୟାପ୍ତ ପ୍ରଚାର । ସେପଟେ ଜଂଗଲରେ ଫରେଷ୍ଟ ଗାର୍ଡ ଠେଂଗା ଧରି ବଂଧୁକଧାରୀ ଶିକାରୀଂକ ସହ ମୁକାବିଲା କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶହିଦ ବିମଳ ଜେନାଂକ ପରିବାର ସଦସ୍ୟଂକ ପ୍ରଶ୍ନ, ଠେଂଗାରେ ବଂଧୁକଧାରୀ ଶିକାରୀଂକୁ କିଭଳି ମୁକାବିଲା କରାଯିବ କୁହନ୍ତୁ।

ଅସଲରେ ଜଙ୍ଗଲ ଭିତରେ ରାଜ୍ୟ ବନ ବିଭାଗର କର୍ମଚାରୀଂକୁ ଜଂଗଲ ଜଗିବୀ ନାଁରେ କିଭଳି ମୃତ୍ୟୁ ମୁଖକୁ ଠେଲି ଦିଆଯାଉଛି ତାର ରକ୍ତାକ୍ତ ଚିତ୍ର ଗତ ୨୨ ତାରିଖ ଦିନ ସାରା ରାଜ୍ୟ ଦେଖିଲା । ଶିମଳିପାଳ ଜଙ୍ଗଲରେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାକୁ ଯାଇ ଜଣେ ବନରକ୍ଷୀ ବିମଳ କୁମାର ଜେନା ସହିଦ ହୋଇଗଲେ । ଶିକାରୀର ଗୁଳି ବିମଳଙ୍କ ଛାତିରେ ସିନା ବାଜିଲା ହେଲେ ସେ ଶବ୍ଦ ଶିମିଳିପାଳର ଛାତି ଚିରି ପୁରା ଜଙ୍ଗଲ ବିଭାଗକୁ ନିସ୍ତବ୍ଧ କରି ଦେଇଛି । ଏ ଘଟଣା ରାଜ୍ୟ ସରକାରଙ୍କ ଅପରାଗତାକୁ ଦାଣ୍ଡରେ ପକାଇଛି। ସହିଦ ବିମଳଙ୍କ ପତ୍ନୀଙ୍କ ଲୁହଭିଜା ପ୍ରଶ୍ନ ପୁରା ସରକାରଙ୍କୁ ଲଙ୍ଗଳା କରିଦେଇଛି ।

ଶିକାରୀ ଅତ୍ୟାଧୁନିକ ବନ୍ଧୁକ ଧରି ଜଂଗଲରେ ବୁଲୁଛନ୍ତି । ହେଲେ ବନ କର୍ମଚାରୀ ଠେଙ୍ଗା ଧରି ଜଗୁଛନ୍ତି ।୧୯୬୨ ମସିହା ପରଠୁ ବନ ବିଭାଗର ତଳିଆ କର୍ମଚାରୀଂକ ସୁରକ୍ଷା ନେଇ ନୁଆ ଆଇନଟେ ସରକାର ଆଣିଲେ ନାହିଁ। ୬୦ ବର୍ଷ ତଳେ ଯେଉଁ ଠେଂଗା ଟେ ଧରି ବନ କର୍ମଚାରୀ ଜଂଗଲ ଜଗୁଥିଲା ଆଜି ବି ସେହି ସ୍ଥିତି। ପେଟ୍ରୋଲିଂ କହିଲେ ଖଣ୍ଡେ ପୁରୁଣା ଜିପ୍‌, ଅତି ବେଶିରେ ବୋଲେରୋ ଟିଏ, ୨/୪ଟା ଷ୍ଟାଫ୍‌, କାହାରି ପାଖରେ ବନ୍ଧୁକ ନାହିଁ। ବନ୍ଧୁକଧାରୀ ଶିକାରୀଙ୍କୁ ଠେଙ୍ଗା ଧରିଥିବା ଜଣେ ବନ କର୍ମଚାରୀ କେମିତି ମୁକାବିଲା କରିପାରିବ ? ଏ ପ୍ରଶ୍ନ କେବଳ ମୃତ ବିମଳଙ୍କ ପତ୍ନୀ ବା ଭଉଣୀର ନୁହେଁ ବରଂ ବନ ବିଭାଗରେ କାର୍ଯ୍ୟରତ ଶହ ଶହ କର୍ମଚାରୀଙ୍କର ।

ଆଜି ପର୍ଯ୍ୟନ୍ତ ପୁରୁଣା ନିୟମ ପରିବର୍ତ୍ତନ ନ ହେବା ଓ ବନ ସୁରକ୍ଷାକର୍ମୀଙ୍କୁ ଆବଶ୍ୟକୀୟ ସରଂଜାମ ଯୋଗାଇ ନ ଦେବା ଏକ ସରକାରୀ ପ୍ରତାରଣା ବୋଲି କହିଛି କର୍ମଚାରୀ ସଂଘ।ଶିକାରୀ ଗୁଳିରେ ବନ ବିଭାଗ କର୍ମଚାରୀଂକ ମୃତ୍ୟୁ ଘଟଣା ବନ ବିଭାଗର ବଡବଡିଆ ଅଧିକାରୀଂକ ମୁଖା ଖୋଲି ଦେଇଛି। ରାଜଧାନୀରେ ବନ ବିଭାଗ ଅଧିକାରୀ ଖଣି କଂପାନୀ ପ୍ରଦତ୍ତ ଲକ୍ଜରୀ କ୍ଲାସ SUV ଗାଡି ଚଢିବେ ହେଲେ ଫରେଷ୍ଟ ଗାର୍ଡ ବିମଳ ଜେନାଂକୁ ପ୍ରାୟ ୪ଟା ବେଳେ ଗୁଳି ମାଡ ହେଲା ହେଲେ ହସ୍ପିଟାଲରେ ପହଁଚିଲା ରାତି ୧୧ ଟା ବେଳେ। ସେପଟେ ପେଟ୍ରୋଲିଂ ଡ୍ୟୁଟିରେ ଯାଇଥିବା ଷ୍ଟାଫଂକ ଭିତରୁ କାହା ପାଖରେ ବଂଧୁକ ଥିଲା ଏ ପ୍ରଶ୍ନର ଉତ୍ତର ଦେବାକୁ ନାରାଜ ଅଧିକାରୀ।

ସରକାର ନିଜ ପିଠି ନିଜେ ଥାପୁଡେଇବାରେ ବ୍ୟସ୍ତ।
ମାତ୍ର ବିମଳ ଜେନାଂକ ହତ୍ୟା ଖୋଲି ଦେଲା ନବୀନଂକ ଓ୍ବାଲ୍ଡକ୍ଲାସ ପ୍ରଶାସନର ଥାର୍ଡକ୍ଲାସ ଚିତ୍ର।

Related Posts