ମାୟାବତୀଙ୍କ ବଡ ଘୋଷଣା : ୟୁପିରେ ଜିଲ୍ଲା ପଞ୍ଚାୟତ ନିର୍ବାଚନ ଲଢିବନି ବିଏସପି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତରପ୍ରଦେଶ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ ବହୁଜନ ସମାଜ ପାର୍ଟି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଦଳର ସୁପ୍ରିମୋ ମାୟାବତୀ। ମାୟାବତୀ ସୋମବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ” ଆମେ ୟୁପିରେ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ନଲଢିବାକୁ ନିଷ୍ପତ୍ତି ନେଇଛୁ। ମୁଁ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯଦି ନିର୍ବାଚନ ନିରପେକ୍ଷ ହୋଇଥାନ୍ତା ତେବେ ଆମେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତୁ । ” ସୂଚନା ମୁତାବକ ଜୁଲାଇ ୩ ରେ ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ସେହି ଦିନ ମଧ୍ୟ ଫଳାଫଳ ଘୋଷଣା କରାଯିବ। ୨୦୨୨ ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ସେମିଫାଇନାଲ ଭାବରେ ବିବେଚନା କରାଯାଉଛି। ତେବେ ୟୁପିରେ ବିଏସପି ଏବେ ସଙ୍କଟଜନକ ସ୍ଥିତିରେ ଅଛି। ମେ ମାସରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ​​ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଭାରତୀୟ ଜନତା ପାର୍ଟି ଏବଂ ସମାଜବାଦୀ ପାର୍ଟି ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବିଏସପି ତୃତୀୟ ସ୍ଥାନରେ ରହିଥିଲା। ଏହି ପ୍ରେସ କନଫରେନ୍ସରେ ମାୟାବତୀ ଅଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳର ନାରା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ବିଧାନଭା ନିର୍ବାଚନରେ ଦଳର ମୁଖ୍ୟ ନାରା ହେବ ’ ‘ ୟୁପି ବଞ୍ଚାଇବା, ଲୋକଙ୍କୁ ବଞ୍ଚାଇବା ଓ ବିଏସପିକୁ କ୍ଷମତାକୁ ଆଣିବା’ । ଏହାସହିତ ରାଜ୍ୟର ବିଜେପି ସରକାଙ୍କୁ ପ୍ରେସମିଟରେ ଟାର୍ଗେଟ କରିଛନ୍ତି ମାୟାବତୀ । ସୂଚନାଯୋଗ୍ୟ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏକାକୀ ନିର୍ବାଚନ ଲଢ଼ିବ ବିଏସପି । କୌଣସି ଦଳ ସହ ମେଣ୍ଟ କରାଯିବ ନାହିଁ ବୋଲି ଗତକାଲି ମାୟାବତୀ ସ୍ପଷ୍ଟ କରିଥିଲେ । ଓୱେସିଙ୍କ ନେତୃତ୍ୱାଧୀନ ଏଆଇଏମ୍‌ଆଇଏମ୍‌ ସହିତ ଗଠବନ୍ଧନ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବରକୁ ଖଣ୍ଡନ କରିଛନ୍ତି ବିଏସପି ସୁପ୍ରିମୋ । ଏହି ଖବର ସଂପୂର୍ଣ୍ଣ ଭାବେ ମିଛ । ଏହା ଭିତ୍ତିହୀନ। ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଏଭଳି ଖବର ପ୍ରସାରଣ କରାଯାଉଛି ବୋଲି ସେ କହିଥିଲେ ।

Related Posts