ଲେମ୍ବୁ ପାଣି ବିକ୍ରି କରି ଗୁଜାରଣ ମେଣ୍ଟାଉଥିବା ସିଙ୍ଗିଲ୍ ମଦର ହେଲେ ସବ୍ ଇନ୍ସପେକ୍ଟର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସବୁ କିଛି ହାସଲ କରିବା ସମ୍ଭବ। ଏବେ ଏହାର ଉଦାହରଣ ସାଜିଛନ୍ତି କେରଳର ୩୧ ବର୍ଷୀୟ ମହିଳା ଆନି ଶିବା। ୧୮ ବର୍ଷ ବୟସରେ ଆନିଙ୍କୁ ତାଙ୍କ ସ୍ୱାମୀ ଓ ପରିବାର ଲୋକେ ଛୋଟ ଛୁଆ ସହ ଘରୁ ବାହାର କରିଦେଇଥିଲେ। ତେବେ ପିତାମାତାଙ୍କ ଅନିଚ୍ଛାରେ ବିବାହ କରିଥିବାରୁ ବାପା ଘରକୁ ମଧ୍ୟ ଯିବାକୁ ସୁଯୋଗ ମିଳି ନଥିଲା। ଏତେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ବେ ସେ ସଙ୍ଘର୍ଷ କରିବା ଛାଡି ନ ଥିଲେ। ସେ କହିଛନ୍ତି, ” ବଞ୍ଚିବା ପାଇଁ କେରଳର ଭରକାଲା ଠାରେ ଲେମ୍ବୁ ସର୍ବତ ଓ ଆଇସିକ୍ରିମ ବିକ୍ରି କରିବା ଭଳି ଛୋଟମୋଟ କାମ କରିବା ଆରମ୍ଭ କରିଥିଲେ। କିନ୍ତୁ ସବୁଥିରେ ବିଫଳ ହୋଇଥିଲେ । ତା’ପରେ ଜଣେ ବ୍ୟକ୍ତି ତାଙ୍କୁ ପଢ଼ିବାକୁ ଆର୍ଥିକ ସହାୟତା ଦେବା ସହ ସବ୍‌-ଇନ୍‌ସ୍‌ପେକ୍ଟର୍‌ ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଇଥିଲେ। ଫଳରେ ସେ ଆଜି ଏହି ସଫଳତାର ଅଧିକାରୀ। ସେ କହିଛନ୍ତି ଲୋକେ ପରସ୍ପରଙ୍କୁ ସହଯୋଗ କରିବା ଉଚିତ। ଆତ୍ମନିର୍ଭରଶୀଳ ହେବାକୁ ଇଚ୍ଛୁକ କୌଣସି ମହିଳାଙ୍କୁ ତାଙ୍କ ଜୀବନ କାହାଣୀ ପ୍ରେରିତ କରି ପାରିଲେ ଆନନ୍ଦିତ ହେବେ ବୋଲି ଆନି ଶିବ କହିଛନ୍ତି।ଏବେ ସେ ଭରକାଲାରେ ପୁଲିସ୍‌ ଅଫିସର ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି।

କେରଳ ପୁଲିସ୍ ମଧ୍ୟ ଆନିଙ୍କୁ ଶୁଭେଚ୍ଛା ଜଣାଇ ଟ୍ୱିଟ କରିଛି। ଟ୍ବିଟ୍ କରି କୁହାଯାଇଛି ଯେ,” ବିଶ୍ୱାସ ଓ ଇଚ୍ଛାଶକ୍ତିର ପ୍ରକୃତ ହିରୋ ହେଉଛନ୍ତି ଆନି। ମାତ୍ର ୧୮ ବର୍ଷ ବୟସରେ ନିଜର ୬ ମାସର ଶିଶୁ ସହ ବଞ୍ଚିବା ପାଇଁ ଲଢେଇ କରି ଆନି ଆଜି ନିଜ ପରିଶ୍ରମ ବଲରେ ଜଣେ ସବ୍‌ ଇସନପେକ୍ଟର ହୋଇପାରିଛନ୍ତି। ତେଣୁ ସେ ସମସ୍ତଙ୍କର ପ୍ରେରଣାର ଉତ୍ସ। ” ଏହି ଘଟଣା ପରେ ସୋସିଆଲ ମିଡିଆରେ ଆନିଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Related Posts