ଗଣମାଧ୍ଯମ ହେଉଛି ଲୋକଙ୍କ ସ୍ବର, ବିନା ଭୟରେ ଗଣମାଧ୍ଯମ ସାଧାରଣ ଲୋକଙ୍କ ସମସ୍ୟା ଉଠାଉ : ନବୀନ ପଟ୍ଟନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ । ଏହି ପ୍ରତିଷ୍ଠା ଦିବସ କଟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି କାର୍ଯ୍ଯକ୍ରମ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଅଭିଭାଷଣ ରଖିଛନ୍ତି।

ମୁଖ୍ଯମନ୍ତ୍ରୀ ନିଜ ବକ୍ତବ୍ଯରେ କହିଛନ୍ତି ଯେ, ଗଣ ମାଧ୍ଯମ ହେଉଛି ଲୋକଙ୍କ ସ୍ବର। ବିନା ଭୟରେ ଗଣମାଧ୍ଯମ ସାଧାରଣ ଲୋକଙ୍କ ସମସ୍ୟା ଉଠାଉ । ଗଣମାଧ୍ଯମ ସାଧାରଣ ଲୋକଙ୍କ ସମସ୍ୟା ଉତ୍ଥାପନ କରୁ । ଏଥିସହ ପ୍ରଜାତନ୍ତ୍ରକୁ ମଧ୍ଯ ଶୁଭେଚ୍ଛା ଜାଣାଇଥିଲେ ନବୀନ। ସତ୍ଯର ସବୁବେଳେ ବିଜୟ ହେଉ ବୋଲି ମୁଖ୍ଯମନ୍ତ୍ରୀ ନିଜ ଉଦବୋଧନରେ କହିଥିଲେ। ଛାପା ଗଣମାଧ୍ୟମ ହେଉ କିମ୍ବା ବୈଦୁତିକ ଗଣମାଧ୍ୟମ ଦେଶର ସାଂସ୍କୃତିକ, ଐତିହ୍ୟ ଓ ନୈତିକତା ବଜାୟ ରଖି ଜାତୀୟ ଏକତା ଓ ସଂହତିକୁ ପ୍ରୋତ୍ସାହନ ଦେବା ହେଉଛି ଗଣମାଧ୍ୟମର ଦାୟିତ୍ବ ବୋଲି ମୁଖ୍ଯମନ୍ତ୍ରୀ କହିଥିଲେ। ଖବର କାଗଜ, ବୈଦ୍ୟୁତିକ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆ ଧର୍ମ ନିରପେକ୍ଷତା ମାନସିକତା ରଖି କାମ କରିବା ଉଚିତ । ସ୍ବାଧୀନତା ସଂଗ୍ରାମରେ ସତ୍ୟ ଓ ଅଂହିସା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସ୍ବାଧୀନତାର ୭୫ ବର୍ଷ ଅବସରରେ ସମାଜରେ ସବୁ ସ୍ତରରେ ଏଭଳି ମୂଲ୍ୟବୋଧ ସୁରକ୍ଷା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଅନୁସାରେ ଦୈନିକ ଓଡିଆ ଖବର କାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଦ୍ମଭୂଷଣ ପ୍ରତିଭା ରାୟ, ପ୍ରଜାତନ୍ତ୍ର ସମ୍ପାଦକ ଭର୍ତ୍ତୃହରୀ ମହତାବଙ୍କ ସମେତ ଅନେକ ସମ୍ମାନୀତ ଅତିଥି ଏହି ଉତ୍ସବରେ ଯୋଗ ଦେଇଥିଲେ ।

Related Posts