ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ସୁପ୍ରିମକୋର୍ଟରୁ ମୀନାକ୍ଷୀଙ୍କୁ ମିଳିଲା ବଡ଼ ଝଟକା। ଆବେଦନ ଖାରଜ କରିବା ସହିତ ହାଇକୋର୍ଟରେ ନିର୍ବାଚନୀ ମକଦ୍ଦମା ରୁଜୁ କରିବାକୁ ଦେଲେ ରାୟ । ତେବେ ମୀନାକ୍ଷୀ ନଟରାଜନଙ୍କ ରାଜ୍ୟସଭା ପ୍ରାର୍ଥିତ୍ବ ଖାରଜ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ୍. ଏ. ଏସ୍. ଚନ୍ଦୁରକରଙ୍କ ଖଣ୍ଡପୀଠ କହିଛନ୍ତି, ସର୍ବୋଚ୍ଚ ଅଦାଲତ ଏଥିପାଇଁ ଉପଯୁକ୍ତ ସ୍ଥାନ ନୁହେଁ। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ଏଥିରେ ହସ୍ତକ୍ଷେପ ଠିକ୍ ହେବନାହିଁ। ଏହାଦ୍ୱାରା ଏକ ଦୃଷ୍ଟାନ୍ତ ରହିଯିବ ବୋଲି କହି ସୁପ୍ରିମକୋର୍ଟ ମୀନାକ୍ଷୀ ନଟରାଜନଙ୍କ ଆବେଦନ ଖାରଜ କରିଛନ୍ତି ।ସୁପ୍ରିମକୋର୍ଟଙ୍କ ରାୟ ପରେ କଂଗ୍ରେସ ଓ ମୀନାକ୍ଷୀ ନଟରାଜନଙ୍କ ପାଖରେ ଏକମାତ୍ର ବିକଳ୍ପ ରହିଛି।

ବିଜେପି ସଭ୍ୟ ମହେଶ କେୱଟଙ୍କ ରାଜ୍ୟସଭା ନିର୍ବାଚନକୁ ବିରୋଧ କରି ମଧ୍ୟପ୍ରଦେଶ ହାଇକୋର୍ଟରେ ନିର୍ବାଚନୀ ମକଦ୍ଦମା ରୁଜୁ କରିପାରିବେ। କିନ୍ତୁ ନିର୍ବାଚନୀ ମାମଲାଗୁଡ଼ିକ ଦୀର୍ଘଦିନ ଧରି ଚାଲିବାର ଉଦାହରଣ ରହିଛି। ବହୁ ସଭ୍ୟଙ୍କ କାର୍ୟ୍ୟକାଳ ସରିବା ପରେ ବି ମାମଲା ଚାଲିଥାଏ । ସେପଟେ ମଧ୍ୟପ୍ରଦେଶରେ ରାଜ୍ୟସଭା ଆସନ ଲାଗି କଂଗ୍ରେସ ପକ୍ଷରୁ ମୀନାକ୍ଷୀ ନଟରାଜନ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ତାଙ୍କ ବିଜୟ ନିଶ୍ଚିତ ଥିଲା। କିନ୍ତୁ ମୀନାକ୍ଷୀ ତାଙ୍କ ବିରୋଧରେ କିଛି ମାମଲା ସମ୍ପର୍କରେ ସତ୍ୟପାଠରେ ଦର୍ଶାଇ ନଥିବା ବିଜେପିର ଅଭିଯୋଗ ପରେ ତାଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଥିଲା।