ତ୍ରିମୂର୍ତ୍ତୀଙ୍କ ଡବଲ ରୋଲ ! ଆୟୋଗର ସଦସ୍ୟା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ

Member Of Odisha State Commission for Protection of Child Rights

ଭୁବନେଶ୍ୱର- ରାଜ୍ୟରେ ନାବାଳିକା ଓ ଶିଶୁ ନିର୍ଯ୍ୟାତନା ବଢ଼ିଚାଲିଥିବା ବେଳେ ସର୍ବାଧିକ ମାମଲାରେ ଉଠୁଛି ଶାସକ ଦଳର କର୍ମୀ ଓ ନେତାଙ୍କ ନାଁ । ଫଳରେ ଏହାର ତଦନ୍ତ କିଭଳି ସଠିକ ଢ଼ଙ୍ଗରେ ହେଉଥିବ ସେନେଇ ବାରମ୍ବାର ପ୍ରଶ୍ନ ଉଠିଛି । ହେଲେ ଏ ସବୁ ତଦନ୍ତକୁ ବାଟବଣା କରି ନିଜ ଦଳକୁ ସୁରକ୍ଷିତ ରଖିବା ପାଇଁ ସାଂଘାତିକ ଚାଲ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାବାଳିକା ଓ ଶିଶୁ ନିର୍ଯ୍ୟାତନା ରୋକିବା ଦିଗରେ ରାଜ୍ୟରେ କାର୍ଯ୍ୟ କରୁଛି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । କିନ୍ତୁ ଏହାକୁ କବଜା କରି ନିଜର ଦବଦବା ଦେଖାଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ସବୁ ପ୍ରମାଣ ଆମର ହସ୍ତଗତ ହୋଇଛି ।

ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଭ୍ୟା ଭାବେ ଯେଉଁମାନଙ୍କୁ ନିଯୁକ୍ତି ମିଳିଛି ସେମାନେ ସମସ୍ତେ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରୁଥିବା ପ୍ରମାଣ ମିଳିଛି । ଏହି ଆୟୋଗରେ ୧୭.୦୫.୨୦୧୭ରେ ସଭ୍ୟା ଭାବେ ନିଯୁକ୍ତି ପାଇଥିଲେ ଗୀତାଞ୍ଜଳୀ ବସ୍ତିଆ ଓ ନିବେଦିତା ନାୟକ । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏମାନଙ୍କୁ ତିନିବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ଦେଇଛି । ତେବେ ଏମାନଙ୍କ ବ୍ୟତୀତ ୧୦.୦୧.୨୦୧୮ରେ ମନ୍ଦାକିନୀ କରଙ୍କୁ ବିଭାଗ ତରଫରୁ ତିନିବର୍ଷ ପାଇଁ ମଧ୍ୟ ଆୟୋଗର ସଦସ୍ୟା ଭାବେ ନିଯୁକ୍ତିି ଦିଆଯାଇଛି ।

ପାଠକେ ଜାଣନ୍ତି, କୌଣସି କମିଶନ ବା ଆୟୋଗକୁ ଅର୍ଦ୍ଧନାୟିକ କ୍ଷମତା ଦିଆଯାଇଥାଏ । ଏପରିକି ଏହି ଆୟୋଗର ସଦସ୍ୟା ଭାବେ ନିଯୁକ୍ତି ପାଇଥିବା ଗୀତାଞ୍ଜଳୀ ବସ୍ତିିଆ, ମନ୍ଦାକିନୀ କର ଓ ନିବେଦିତା ନାୟକ ମାସିକ ୨୫ହଜାର ଟଙ୍କା ଦରମା ସହ ଘରଭଡା ବାବଦରେ ୫ହଜାର ଟଙ୍କା ଏବଂ ଗସ୍ତଖର୍ଚ୍ଚ ଭଳି ଅନ୍ୟାନ୍ୟ ସରକାରୀ ସୁବିଧା ଉପଭୋଗ କରୁଛନ୍ତି । କିନ୍ତୁ ଏମାନେ ସମସ୍ତେ ବିଜୁ ଜନତା ଦଳର ବିଭିନ୍ନ ପଦ ପଦବୀରେ ରହିଥିବା ଅଭିଯୋଗ ଉଠିଛି ।

୧୧.୧୧.୨୦୧୮ରେ ଗୀତାଞ୍ଜଳି ବସ୍ତିଆଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦିଆଯାଇଛି ନିଯୁକ୍ତି । ନିଜେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଥିବା ବିଜେଡି ତରଫରୁ ପ୍ରେସ ରିଲିଜରେ ଜଣାଯାଇଛି ।

ଠିକ ସେମିତି ମନ୍ଦାକିନୀ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପ ସଭାନେତ୍ରୀ ଭାବେ କାର୍ଯ୍ୟକରୁଥିବା ବେଳେ ନିବେଦିତା ୨୦୧୭ ଅକ୍ଟୋବରରେ ସମ୍ବଲପୁର ବୁର୍ଲା ଏନଏସି ୱାର୍ଡ କମିଟି ଗଠନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଗସ୍ତ କରିଥିଲେ । ଯାହା ପ୍ରମାଣ କରୁଛି ନବୀନ ଜାଣି ଶୁଣି ଶିଶୁ ସୁରକ୍ଷା ଆୟୋଗର ସଦସ୍ୟାଙ୍କୁ ପାର୍ଟିର ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରଖିଛନ୍ତି ।

ଖାଲି ଏତିକି ନୁହେଁ ଏମାନେ ଦିଲ୍ଲୀରେ ଆୟୋଜିକ କୃଷକ ଅଧିକାର ସମାବେଶରେ ଯୋଗଦେବାକୁ ବି ଦିଲ୍ଲୀ ଯାଇଥିବା ଜଣାପଡିଛି । ବିଜେଡି ନେତାନେତ୍ରୀଙ୍କୁ ନେଇ ଯାଇଥିବା ସ୍ୱତନ୍ତ୍ର ଟ୍ରେନର ୨୨ ନମ୍ବର କୋଚ୍ରେ ଏମାନେ ଯାତ୍ରା କରିଥିବା ଜନୈକ ନେତ୍ରୀ ପୋଷ୍ଟ କରିଛନ୍ତି ସୋସିଆଲ ମିଡିଆରେ । ଏପରିକି ପୂର୍ବତନ ଶକ୍ତିମନ୍ତ୍ରୀ ତଥା ବିଜୁ ଜନତା ଦଳର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ଗୀତାଞ୍ଜଳୀ ବସ୍ତିଆ ସେଲଫି ବି ନେଇଥିବା ପୋଷ୍ଟ ହୋଇଛି ।

ସର୍ବଦା ‘ଥ୍ରି-ଟି’ର ମନ୍ତ୍ର ଜପୁଥିବା ନବୀନ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗକୁ କବଜା କରି କିଭଳି ସାଂଘାତିକ ଖେଳ ଖେଳି ପାରନ୍ତି ଏହା ତାହାର ଜ୍ୱଳନ୍ତ ଉଦାହରଣ । ତେବେ ଏ ଦିଗରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

Related Posts