ଏକାଦଶରେ ଏଠି ଆଡମିଶନ ନକଲେ ମାଟ୍ରିକରେ ମିଳିବନି ଭଲ ମାର୍କ, ଚେତାବନୀ ଦେଇଥିଲେ ସ୍କୁଲ୍ କର୍ତ୍ତୃପକ୍ଷ : ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର ଆୟୋଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଯଦି ଏଠି ଏକାଦଶରେ ନାଁ ଲେଖାଇବ ତାହାଲେ ଦଶମ ଶ୍ରେଣୀରେ ଭଲ ମାର୍କ ଦିଆଯିବ । ଅଭିଯୋଗ ଅନୁଯାୟୀ ଏଭଳି କିଛି ଲୋଭନୀୟ ଅଫର ଦେଉଥିଲେ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନଲ ସ୍କୁଲ କର୍ତ୍ତୃପକ୍ଷ। ତେବେ ଏହି ପ୍ରସଙ୍ଗରେ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକମାନେ। ଏହି ମାମଲା ରାଜ୍ୟ ମାନବାଧିକାର ଆୟୋଗଙ୍କ ପାଖରେ ପହଞ୍ଚିବା ପରେ ମାମଲାର ବିଚାର ପାଇଁ ଆଜି ସମସ୍ତ ପକ୍ଷ ଅଭିଭାବକ ଏବଂ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନଲ ସ୍କୁଲ କର୍ତ୍ତୃପକ୍ଷ ଓ ସିବିଏସଇ କର୍ତ୍ତୃପକ୍ଷଙ୍କୁ ଡକରା ଆସିଥିଲା। 

ଉଭୟ ପକ୍ଷଙ୍କୁ ଶୁଣିବା ପରେ ଚନ୍ଦ୍ରଶେଖରପୁର ଆଇଆଇସିଙ୍କୁ ଏହି ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର ଆୟୋଗ। ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ ତାରିଖରେ ହେବ ବୋଲି ଜଣାପଡ଼ିଛି ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ପୂର୍ବରୁ ଏକାଦଶରେ  ଆଡମିଶନ କରିବା ପାଇଁ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନଲ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରୁଥିବା ଅଭିଯୋଗ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଅଭିଭାବକଙ୍କୁ ଲୋଭନୀୟ ଅଫର ଦେଉଥିବା ଏକ ଫୋନ କଲ ମଧ୍ୟ ମିଳିଥିଲା ।

କରୋନା ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ୍ ହୋଇଥିଲା। ଏବଂ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମାର୍କ କମ୍ ବେଶୀ କରିବାର କ୍ଷମତା ସ୍କୁଲ କର୍ତ୍ତୃପକ୍ଷଙ୍କର ରହିଥିଲା  । ତେଣୁ ଏକାଦଶ ପାଇଁ ଆଡମିସନ ନକଲେ ପରିସ୍ଥିତି ଭଲ ହେବ ନାହିଁ ବୋଲି ଚେତାବନୀ ଦେଇଥିଲେ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନଲ ସ୍କୁଲ କର୍ତ୍ତୃପକ୍ଷ। ପରୀକ୍ଷାଫଳ ଖରାପ ହେବା ପରେ ଏନେଇ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ ଅଭିଭାବକ। ବର୍ତ୍ତମାନ ଆୟୋଗ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

Related Posts