ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାତ ଜନମର ସାଥୀ ହେବା ପାଇଁ ଶପଥ କରିଥିବା ସ୍ୱାମୀ ସାତ ବର୍ଷରେ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ଆଉ ତାହା ପୁଣି ଶ୍ୱଶୁର ଘରେ । ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ଅର୍ନ୍ତଗତ ଫଟାମୁଣ୍ଡା ଗାଁରେ। ମୃତ ମହିଳାଙ୍କ ନାଁ ହେଉଛି କସ୍ତୁରୀ ସାହୁ। ୭ ବର୍ଷ ତଳେ ସେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁର ଗାନ୍ଧୀଲାଲ ସାହୁଙ୍କୁ ବିବାହ କରିଥିଲେ। ସେମାନଙ୍କର ପୁଅ ଟିଏ ଏବଂ ଝିଅ ଟିଏ ଅଛନ୍ତି। 

ଅଭିଯୋଗ ଅନୁଯାୟୀ, ସ୍ୱାମୀ ଗାନ୍ଧିଲାଲ ମଦ ପିଇ ସ୍ତ୍ରୀକୁ ସବୁବେଳେ ମାରପିଟ କରୁଥିଲେ। ତେବେ ସ୍ବାମୀଙ୍କ ଅତ୍ୟାଚାର ସହ୍ୟ କରି ନପାରି କସ୍ତୁରୀ ତିନି ମାସ ତଳେ ନିଜ ବାପ ଘରକୁ ଚାଲି ଆସିଥିଲେ। ତେବେ ମାସ ତଳେ ମଦ୍ୟପ ସ୍ୱାମୀ ପୁଣି ଶ୍ବଶୁର ଘରକୁ ଆସି ସ୍ତ୍ରୀ ସହିତ ରହିବାକୁ ଲାଗିଲା।

ରବିବାର ବିଳମ୍ୱିତ ରାତିରେ ସ୍ୱାମୀ ଗାନ୍ଧିଲାଲ,ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ମୃତ କସ୍ତୁରୀର ଶବ ବାପଘରେ ପଡ଼ିରହିଛି। ଖବର ଲେଖାଯିବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ। ମୃତ କସ୍ତୁରୀର ବେକରେ ଆଘାତ ଲାଗିଛି। ତେବେ ପୁଲିସ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ।

Related Posts