
(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସହରମାନଙ୍କରେ ଜାରି ସପ୍ତାହନ୍ତ ସଟ୍ଡାଉନ୍ର ପ୍ରଭାବ ଏବେ ଗାଁ ର ଦୁଗ୍ଧଚାଷୀଙ୍କ ଉପରେ ପଡିଛି । ଆସନ୍ତା ୫ତାରିଖରୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ କାର୍ଯ୍ୟକାରୀ ହେଲେ ସେମାନଙ୍କ ସ୍ଥିତି ଖରାପ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ରାଜ୍ୟରେ ସପ୍ତାହନ୍ତ ସଟ୍ଡାଉନ୍ ଜାରି ପରଠାରୁ ସରକାରୀ ସଂସ୍ଥା ଓମଫେଡ୍ ଏବେ ଗାଁ ମାନଙ୍କରୁ ଦୁଗ୍ଧ ସଂଗ୍ରହ ପରିମାଣ ହ୍ରାସ କରିଦେଇଛି । ଶନିବାର ଓ ରବିବାର ଦିନ ପ୍ରାୟ ଅଧା ପରିମାଣର ଦୁଗ୍ଧ ସଂଗ୍ରହ ଚଳାଯାଉଥିବାବେଳେ ଲକ୍ଡାଉନ୍ ସମୟରେ ଦୁଗ୍ଧ ସଂଗ୍ରହ କିଭଳି ଓ କେତେ ପରିମାଣରେ ହେବ ତାହାକୁ ନେଇ ଗାଁର ଦୁଗ୍ଧ ଚାଷୀମାନେ ସଙ୍କଟରେ ପଡିଛନ୍ତି । କାରଣ ରାଜ୍ୟରେ ସଟ୍ଡାଉନ୍ ମାତ୍ର ଦୁଇଦିନ ବନ୍ଦ ଥିବାବେଳେ ଲକ୍ଡାଉନ ଲଗାଣଭାବେ ୧୪ଦିନ ଧରି ଦୋକାନ ବଜାର ଏକ ପ୍ରକାର ବନ୍ଦ ରହିବ । କରୋନା ସମୟରେ ଗାଁ ର ଦୁଗ୍ଧ ଚାଷୀଙ୍କର ଏକମାତ୍ର ଭରସା ହେଉଛି ଓମଫେଡ୍ । ଓମ୍ଫେଡ୍ ଯଦି ଦୁଗ୍ଧ ନନେବ ତେବେ ସେମାନେ କିଭଳି ଗାଈ ଗୋରୁଙ୍କୁ ଖାଦ୍ୟ ଯୋଗାଇବେ ଓ ନିଜେ ଚଳିବେ ସେହି ଚିନ୍ତାରେ ପଡିଛନ୍ତି ।ଦୁଗ୍ଧ ଚାଷୀ ମାନେ ଗତବର୍ଷ କରୋନାର ପ୍ରଥମ ଲହର ସମୟରେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଓମ୍ଫେଡର ଏଭଳି ମନୋବୃତ୍ତିକୁ ଦୁଗ୍ଧଚାଷୀ ମହାସଂଘର ସଭାପତି ରବି ବେହେରା ଦୃଢ ବିରୋଧ କରିବା ସହିତ ଗାଁମାନଙ୍କର ଦୁଗ୍ଧଚାଷୀଙ୍କ ସମସ୍ତ କ୍ଷୀର ନେବାପାଇଁ ଦାବି କରିଛନ୍ତି । ଶ୍ରୀ ବେହେରା କହିଛନ୍ତି ଯେ ଏଭଳି ମହାମାରୀ ସମୟରେ ବଳକା କ୍ଷୀରକୁ ଚାଷୀମାନେ କେଉଁଠିବି ବିକ୍ରି କରିପାରିବେ ନାହିଁ । ହେଲେ ଓମଫେଡ୍ କିନ୍ତୁ ଏହାକୁ ନେଇ ଗୁଣ୍ଡଦୁଗ୍ଧ ସହିତ ଘିଅ ଓ ଛେନା ଆଦି ପ୍ରସ୍ତୁତ କରି ବଜାରରେ ବିକ୍ରି କରିପାରିବ । ଲକ୍ଡାଉନ୍ ସମୟରେ ଓମଫେଡ୍ ସାମଗ୍ରୀ ଅନ୍ଲାଇନ୍ରେ ବିକ୍ରି ବ୍ୟବସ୍ଥା ଥିବାରୁ ଦୁଗ୍ଧ ସଂଗ୍ରହରେ କିଛି ଅସୁବିଧା ନାହିଁ । ତେବେ ଦୁଗ୍ଧକୁ ଗୁଣ୍ଡ କରିବାପାଇଁ ଓଡିଶା ଏବେ ବି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଓମଫେଡ୍ର ନିଜସ୍ୱ ଗୁଣ୍ଡଦୁଗ୍ଧ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ବିଳମ୍ବ ହେବାରେ ଲାଗିଛି । ଏହି ପ୍ରସଙ୍ଗରେ ଶ୍ରୀ ବେହେରା ଓମଫେଡ୍ର ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଓମ୍ଫେଡ୍ ପ୍ରତିଷ୍ଠା ହେବାର ୩ଦଶନ୍ଧି ପରେ ବି ଗୁଣ୍ଡଦୁଗ୍ଧ କାରଖାନାଟିଏ କରିନପାରିବା ପରିତାପର ବିଷୟ ବୋଲି ସେ କହିଛନ୍ତି । ଓମଫେଡ୍ ଭଳି କେତେକ ଘରୋଇ ସଂସ୍ଥା ମଧ୍ୟ ସଟ୍ଡାଉନ୍ ସମୟରେ ଦୁଗ୍ଧ ଯୋଗାଣ ବନ୍ଦ କରିଛନ୍ତି । ଚାଷୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ପଟକୁ ନେବାପରେ ସେମାନେ ଏବେ ଖେଳିବା ଆରମ୍ଭ କରିଛନ୍ତି । ଏଭଳି ସଂସ୍ଥାଙ୍କ ଉପରେ ନିୟନ୍ତ୍ରଣ ନଥିବାରୁ ସରକାର ବି କିଛି କରିପାରୁ ନାହାନ୍ତି । ତେବେ ଗୋଟିଏ ପଟେ ଓମଫେଡ୍ର ଦୁଗ୍ଧ ସଂଗ୍ରହ ହ୍ରାସ କିନ୍ତୁ ଜାତୀୟ ସ୍ତରର ସଂସ୍ଥା ଅମୁଲକୁ ବେଶ୍ ସୁହାଇଛି । ଉପକୂଳ ଜିଲ୍ଲାର ଗାଁ ଗହଳରୁ ଦୁଗ୍ଧ ସଂଗ୍ରହ ଆରମ୍ଭ କରିଥିବା ଅମୁଲର କାରବାର କିନ୍ତୁ ସଟ୍ଡାଉନରେ ବଢିଥିବାବେଳେ ଲକ୍ଡାଉନରେ ବି ଦୁଗ୍ଧ ସଂଗ୍ରହ ଜାରି ରଖିବ ବୋଲି ସୂଚନା ମିଳିଛି । ଏହା ଏବେ ଓମଫେଡ୍ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବାରେ ଲାଗିଛି ।