ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛରେ ମନ୍ତ୍ରୀ ସମୀର ଦାସଙ୍କ ହାତ ରହିଛି: ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ନୁହେଁ, ତାଙ୍କୁ ହତ୍ୟା କରା ଯାଇଥାଇପାରେ। ଏଥିରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଥିବା କଥା କହି ତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ସେ କହିଛନ୍ତି ଯେ, ଗତ ୧୫ ଦିନ ତଳେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଦିନ ହେବ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସ୍ତ୍ରୀଙ୍କ ସହ ଝଗଡ଼ା କରିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଥିଲା । ଧର୍ମେନ୍ଦ୍ର ସାହୁଙ୍କ ଘରେ ଲାଗିଥିବା ପାରିବାରିକ ବିବାଦର କେନ୍ଦ୍ରବିନ୍ଦୁ ମନ୍ତ୍ରୀ ସମୀର ଦାଶ ବୋଲି ସମସ୍ତେ ଜାଣନ୍ତି ବୋଲି ପ୍ରଭାତୀ କହିବା ସହ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଯଦି ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥାନ୍ତେ, ତା’ହେଲେ ତାଙ୍କ ପାଖରେ ଥିବା ଭିଡିଓ କାହିଁକି ସାର୍ବଜନୀନ କଲେ ନାହିଁ କାହିଁକି ? କେହି ତାଙ୍କ ପାଖରେ ଭିଡିଓ ଥିବା କଥା ଜାଣି ହତ୍ୟା କରିନାହିଁ ତ ? ଏଭଳି କିଛି ସନ୍ଦେହ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ତୁରନ୍ତ ମନ୍ତ୍ରୀଙ୍କୁ ତଦନ୍ତ ପରିସରକୁ ନେବା ସହ ମନ୍ତ୍ରୀ ପରିଷଦରୁ ତାଙ୍କୁ ବାଦ୍ ଦେବାକୁ ଦାବି ଦୋହରାଇଛନ୍ତି ପ୍ରଭାତୀ। ସେପଟେ ପ୍ରଭାତୀଙ୍କ ଏହି ଅଭିଯୋଗ ନେଇ ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା ମିଳିପାରିନି ।

ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣା ସୂଚନା ପାଇ ଏଡିସିପି ପ୍ରକାଶ ପାଲ ବରିଷ୍ଠ ଅଧିକାରୀଙ୍କ ସହ ପହଞ୍ଚି ତଦନ୍ତ କରିଛନ୍ତି। ଏନେଇ ସେ କହିଛନ୍ତି, ଘରଟି ଦୀର୍ଘ ଦିନରୁ ବନ୍ଦ ରହିଥିଲା, ଏଠାରେ କେହି ରହୁନଥିଲେ । ଆମେ ଏଯାଏ କିଛି ପାଇନୁ, ତଦନ୍ତ କରାଯାଉଛି । ସବୁ ଦିଗରୁ ତଦନ୍ତ କରାଯାଇ ସତ୍ୟକୁ ପଦାକୁ ଅଣାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଅତିରିକ୍ତ ଡିସିପି । ଏପରିକି ପୁଲିସ୍‌ କିଛି ଚାପିବନି ବୋଲି ବି ସେ ପ୍ରତିଶୃତି ଦେଇଛନ୍ତି। ତେବେ ଏହି ଘଟଣାରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ହେଉଥିବା ବେଳେ ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

Related Posts