ମନ୍ତ୍ରୀ ବଢ଼ାଇଲେ ମୋଦିଙ୍କ ଟେନ୍‌ସନ୍‌

ପାଖେଇ ଆସୁଛି ଲୋକସଭା ନିର୍ବାଚନ । ନିଜ ନିଜ ଅଞ୍ଚଳରେ ନେତାମାନେ ନିଜର ପକ୍ଷ ମଜଭୁତ କରିବାରେ ଲାଗିପଡ଼ିଲେଣି । ତେବେ ଜନତାଙ୍କ ଭିତରେ ନେତାଙ୍କର କେତେକ ବୟାନ ଏମିତି ବିବାଦ ସୃଷ୍ଟି କରୁଛି, ଯାହା ଫଳରେ ବିରୋଧୀଙ୍କୁ ସରକାରଙ୍କୁ ଘେରିବାକୁ ମିଳିଯାଉଛି ସୁଯୋଗ ।

କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଓ ଅନନ୍ତ କୁମାର ହେଗଡ଼େ ଏମିତି ବୟାନ ଦେଇଛନ୍ତି ଯାହାକୁ ନେଇ ଅଡୁଆରେ ପଡ଼ିପାରନ୍ତି ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର । କେନ୍ଦ୍ରମନ୍ତ୍ରୀ ମାନଙ୍କ ବୟାନକୁ ନେଇ ବିରୋଧୀ ଘନ ଘନ ଆକ୍ରମଣ କରୁଥିବାବେଳେ ବାଧ୍ୟ ହୋଇ ବିଜେପି ଡିଫେନ୍ସ ମୁଡ୍‌କୁ ଆସିଛି ।

କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ ଏକ କାର୍ଯ୍ୟକ୍ରମରେ ନିର୍ବାଚନ ସମୟରେ ନେତାଙ୍କ ପ୍ରତିଶ୍ରୁତି କଥା କହିଲେ । ସେ କହିଲେ ‘ସେହି ସ୍ବପ୍ନ ଦେଖାଅ ଯାହା ପୁରା ହୋଇପାରିବ । ନ ହେଲେ ଜନତା ବାଡ଼େଇ ବି ପାରେ ।’ ଗୋଟିଏ ପଟେ ନୀତୀନ ଗଡ଼କରୀ ବୟାନ ଦେଉଥିଲେ । ଅନ୍ୟପଟେ ଦକ୍ଷିଣରେ କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ହେଗଡ଼େ ନିଜ ବିବାଦୀୟ ବୟାନକୁ ନେଇ ବିରୋଧୀଙ୍କ ଟାର୍ଗେଟ୍‌କୁ ଆସିଲେ ।

ସମାଜର ପ୍ରାଥମିକତା ଉପରେ ବୟାନ ଦେଇ ଅନନ୍ତ କୁମାର ହେଗଡ଼େ ଏକଥା ଯାଏଁ କହିଗଲେ ଯେ, ‘ଆପଣ ସ୍ଥିର କରନ୍ତୁ ଆପଣ ଇତିହାସ ଲେଖିବାକୁ ଚାହୁଁଛନ୍ତି ନା ଇତିହାସ ପଢ଼ିବାକୁ ଚାହୁଁଛନ୍ତି । ଯଦି ଆମେ ଶୋଇରହିବା ତେବେ ଭଗବାନ ରାମଙ୍କୁ ଯାହାଁପନା ଓ ସୀତାଙ୍କୁ ବିବି କୁହାଯିବ । ’ ହେଗଡ଼େ ଆହୁରି କହିଲେ, ‘ଯଦି କେହି ଲୋକ ହିନ୍ଦୁ ଝିଅର ହାତ ଧରି ନେଉଛି ତେବେ ତା’ର ହାତ ରହିବା ଉଚିତ ନୁହେଁ । ’

ଏହି ଦୁଇ ମନ୍ତ୍ରୀଙ୍କ ବୟାନ ବିରୋଧୀଙ୍କ ପାଇଁ ବସି ବସି ଦେଇଦେଲା ଆକ୍ରମଣ ପାଇଁ ଅସ୍ତ୍ର । ଟ୍ବିଟରରେ ଜଣେ ପରେ ଜଣେ ବହୁ ବିରୋଧୀ ନେତା ମୋଦି ସରକାରଙ୍କ ଉପରେ ଆକ୍ରମଣ କରିବାରେ ଡେରି କଲେନାହିଁ । କଂଗ୍ରେସ ମୁଖାପାତ୍ର ପ୍ରିୟଙ୍କା ଚତୁର୍ବେଦୀ କହିଲେ ‘ଗଡ଼କରୀ ଜୀ ଆମେ ବୁଝିଗଲୁ ଆପଣଙ୍କ ଟାର୍ଗେଟ୍‌ କେଉଁ ଆଡ଼େ ଅଛି ।’ AIMIM ସାଂସଦ ଅସଦୁଦ୍ଦିନ୍‌ ଓୱେସୀ କହିଲେ ‘ଗଡ଼କରୀ ଖୁବ୍‌ ଚତୁରତାର ସହ ପିଏମ୍‌ ମୋଦିଙ୍କୁ ଆଇନା ଦେଖାଉଛନ୍ତି ।’

କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ କହିଲେ ଯେ ଏକଥା ଖୁବ୍‌ ଲଜ୍ଜାଜନକ ଯେ ଏମିତି ଲୋକ ମନ୍ତ୍ରୀ ହୋଇଯାଇଛନ୍ତି ।
ଇଏ ପ୍ରଥମ ଥର ନୁହେଁ ଯେ ଗଡ଼କରୀ ଓ ହେଗଡ଼େଙ୍କ ବୟାନ ବିଜେପି ପାଇଁ ବଢ଼ାଇଛି ସମସ୍ୟା । ଏହା ପୂର୍ବରୁ ଗଡ଼କରୀ, ନେହେରୁଙ୍କ ପ୍ରଶଂସା, ବଡ଼ ପ୍ରତିଶ୍ରୁତି ଓ ନିଯୁକ୍ତି ନେଇ ସମସ୍ୟା ବଢ଼ାଇ ସାରିଛି ।

ସେହିପରି ହେଗଡ଼େ ସମ୍ବିଧାନ ବଦଳାଇବା ଓ ଟିପୁ ଜୟନ୍ତୀକୁ ନେଇ ବିବାଦୀୟ ବୟାନ ଦେବାକୁ ନେଇ ରହିଥିଲେ ଚର୍ଚ୍ଚାରେ । ଏବେ ଗଡ଼କରୀ ଓ ହେଗଡ଼େଙ୍କ ବୟାନ ପରେ ବିଜେପି ବି ଆସିଯାଇଛି ଡିଫେନ୍ସ ମୁଡ୍‌କୁ । ବିଜେପି ନେତା ଶାହୱନାଜ୍‌ ହୁସେନ୍‌ କହିଛନ୍ତି ଯେ, ‘ଗଡ଼କରୀଙ୍କ ବୟାନ ବିରୋଧୀଙ୍କ ପ୍ରସଙ୍ଗରେ ଥିଲା, ଯିଏ ପ୍ରତିଶ୍ରୁତି ପୂରଣ କରିପାରିନାହାନ୍ତି । ’

Related Posts