‘ପ୍ରତିଶୋଧ ପରାୟଣ ହୋଇ ଟାର୍ଗେଟ୍‌ କରୁଛନ୍ତି ସରକାର’

ବିଧାନସଭା ସ୍ବାଧୀକାର କମିଟିରେ ହାଜର ହେଲେ ଜାଗି ପଣ୍ଡା

ଓଡ଼ିଶା ଟେଲିଭିଜନ ଲିମିଟେଡ୍‌(ଓଟିଭି)ର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା ବିଧାନସଭା ସ୍ବାଧୀକାର କମିଟି ଆଗରେ ହାଜର ହୋଇଛନ୍ତି । ଓଟିଭି ବିରୋଧରେ ସ୍ବାଧୀକାର କମିଟି ଦେଇଥିବା ନୋଟିସ୍‌ର ସେ ଜବାବ୍‌ ରଖିଛନ୍ତି । ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ପଣ୍ଡା କହିଛନ୍ତି,‘ତାଙ୍କ ସଂସ୍ଥା ଓଟିଭି ଓ ତାଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ହଇରାଣ କରିବା ଭଳି ଆକ୍ରମଣାତ୍ମକ ଭଙ୍ଗୀରେ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।’

ଜାଗି ପଣ୍ଡା କହିଲେ କମିଟି ଆଗରେ ଯାହା ଉତ୍ତର ରଖିଛି ତାକୁ ବାହାରେ କହିପାରିବି ନାହିଁ । ପ୍ରଥମ ମହିଳା ଉଦ୍ୟୋଗୀ ଭାବେ ଦୀର୍ଘ 22 ବର୍ଷ ଧରି ରାଜ୍ୟରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି । ଏ ଯାଏଁ ସେ 2 ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ଏବେ ତାଙ୍କ ସଂସ୍ଥା ଓଟିଭି ଉପରେ ସରକାର ଉଦ୍ଦେଶ୍ୟ ମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଏମିତି ପୂର୍ବରୁ ହେଉ ନ ଥିଲା । ଖବର ପରିବେଷଣ କରିବା ବେଳେ ଓଟିଭିର ପରିଚାଳନା ବୋର୍ଡ କୌଣସି ହସ୍ତକ୍ଷେପ କରି ନ ଥାଏ ।’

ଗତବର୍ଷ ଶେଷ ଭାଗରେ ବିଧାନସଭା ଶୀତ ଅଧିବେସନ ସମୟରେ ଢେଙ୍କାନାଳରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟାକୁ ନେଇ ବିରୋଧୀ ଗୃହରେ ହଙ୍ଗାମା କରି ଅଚଳ କରିଥିଲେ । ଗତ ନଭେମ୍ବର 19 ତାରିଖରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଏ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ ।

ଏହି ସମୟରେ ବିଧାନସଭା ସଚିବ ଅମୀୟ ଷଡ଼ଙ୍ଗୀ ବାଚସ୍ପତିଙ୍କୁ ଅପରାହ୍ନ 3ଟା ଯାଏଁ ଗୃହ ମୁଲତବୀ କରିବାକୁ କହୁଥିବା ଦୃଶ୍ୟ ପରିବେଷଣ କରିଥିଲା ଓଟିଭି । ଏହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଗୃହରେ ଓଟିଭି ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍‌ ଆଣିଥିଲେ ।

ତାରାଙ୍କ ନୋଟିସ୍‌ ଆଧାରରେ ବିଧାନସଭା ସ୍ବାଧୀକାର କମିଟି ଏ ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବାଚସ୍ପତି ରୁଲିଂ ଦେଇଥିଲେ । ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଗଠିତ 7 ଜଣିଆ ସ୍ବାଧୀକାର କମିଟିର ପ୍ରଥମ ବୈଠକ ଗତ 21 ତାରିଖରେ ବସିଥିଲା । ସେହିଦିନ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ସମନ ଜାରି କରି ବ୍ୟକ୍ତିଗତ ଭାବେ ହାଜର ହେବାକୁ କୁହାଯାଇଥିଲା ।

Related Posts