ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶନିବାର କହିଛନ୍ତି ଯେ ଖୁବ ଶୀଘ୍ର ରାଜ୍ୟରେ ନୂତନ ଭାବେ ନିଯୁକ୍ତ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯିବ। ସେ ଆହୁରି ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ କ୍ଷତିଗ୍ରସ୍ତ ହୋଇଥିବା କୃଷକମାନଙ୍କୁ ସରକାର ଖୁବ୍ ଶୀଘ୍ର କ୍ଷତିପୂରଣ ଦେବେ। ତେବେ ବିମାନ ବନ୍ଦରରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଫଡନାଭିସ୍ ଏହା କହିଛନ୍ତି। ଏହା ସହ ସେ ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ମହାରାଷ୍ଟ୍ର ଭାରତୀୟ ଜନତା ପାର୍ଟିର ସଭାପତି ଭାବରେ ନିଯୁକ୍ତ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।
ସୂଚନା ଅନୁସାରେ, ନୂତନ ସରକାର ଗଠନ ହୋଇ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାର ୪୧ ଦିନ ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର ଦିନ ତାଙ୍କର କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି। ସେ ତାଙ୍କ ବିଦ୍ରୋହୀ ଶିବସେନା ଗୋଷ୍ଠୀ ଏବଂ ବିଜେପିର ୧୮ ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି। ଏହା ସହିତ ମହାରାଷ୍ଟ୍ର କ୍ୟାବିନେଟରେ ମନ୍ତ୍ରୀ ସାଂଖ୍ୟ ବର୍ତ୍ତମାନ ୨୦ କୁ ବୃଦ୍ଧି ପାଇଛି। ତେବେ ଦୀର୍ଘଦିନ ହେବ ସରକାର ଗଠନ ହୋଇଥିଲେ ମଧ୍ୟ କ୍ୟାବିନେଟ୍ ସମ୍ପ୍ରସାରଣ ନହେବାକୁ ନେଇ ପ୍ରଥମେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ହେଲେ ଏବେ ମଙ୍ଗଳ ବାର ଠାରୁ ମନ୍ତ୍ରୀ ମାନେ ଶପଥ ନେଇଥିଲେ ମଧ୍ୟ ସେମାନଙ୍କୁ ବିଭାଗ ବଣ୍ଟନ ନକରିବାକୁ ନେଇ ପୁଣି ବିରୋଧୀଙ୍କ ନିଶାନାକୁ ଆସିଛନ୍ତି ମହାରାଷ୍ଟ୍ର ସରକାର। ଏହାର ଜବାବ୍ ଦେବାକୁ ଯାଇ ଖୁବଶିଘ୍ର ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯିବ ବୋଲି କହିଛନ୍ତି ଦେବେନ୍ଦ୍ର ଫଡନାଭିସ୍।
