କାର୍ତ୍ତିକ ଦେଖୁଛନ୍ତି ତ, କାର୍ଯ୍ୟାନୁଷ୍ଠାନ କେବେ ?

ସତ୍ୟପାଠ ବ୍ୟୁରୋ: ଡାକ୍ତର ଏବଂ ନିରାମୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ନଷ୍ଟ ହୋଇଗଲା ଜଣେ ଝିଅର ଆଖି । ଆଖି ଔଷଧ ବଦଳରେ ରୋଗୀଙ୍କୁ ପକେଇବା ପାଇଁ ଦେଲେ କାନ ଡ୍ରପ୍ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ନଛିପୁର ଗ୍ରାମର ଜଣେ ଶିଶୁକନ୍ୟା ଆଖି ହରାଇଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ । ଶିଶୁକନ୍ୟାର ବାପା ଚନ୍ଦ୍ରକାନ୍ତ ଗୋଚ୍ଛାୟତ ଏବଂ ମା’ ବିଜୟିନୀଙ୍କ କହିବା ଅନୁଯାୟୀ ଗତ ସେପ୍ଟେମ୍ବର ୨୮ ତାରିଖ ରାତିରେ ଝିଅ ରିଙ୍କି ଗୋଚ୍ଛାୟତ ଏକ ହେଡ୍‌କ୍ଲିପ୍ ମୁଣ୍ତରେ ଲଗାଉଥିବା ବେଳେ ତାହା ବାମ ଆଖିରେ ବାଜି ଯାଇଥିଲା । ପରଦିନ ଅର୍ଥାତ୍ ୨୯ ତାରିଖ ଦିନ ସକାଳକୁ ଆଖିଟି ଲାଲ୍ ପଡ଼ିଯିବାରୁ ଝିଅକୁ ସେ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ କୌଣସି ଚକ୍ଷୁ ଡାକ୍ତର ନଥିବାରୁ ତାଙ୍କୁ ନୟାଗଡ଼ ପଠାଇ ଦିଆଯାଇଥିଲା । ସେଠରେ ଚକ୍ଷୁ ବିଭାଗରେ ଥିବା ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ ଦେବା ସହ ଭୁବନେଶ୍ବର ନେଇ ଦେଖାଇବାକୁ କହିଥିଲେ । ପ୍ରେସ୍‌କ୍ରିପ୍‌ସନ୍‌ ନେଇ ରିଙ୍କିଙ୍କ ବାପା ନିରାମୟ କେନ୍ଦ୍ରରୁ ଔଷଧ ଆଣିଥିଲେ । ନିରାମୟ କେନ୍ଦ୍ରରୁ ସାଇରନ୍ ନାମକ ଏକ ଡ୍ରପ୍‌ ମିଳିଥିଲା । ଏହାକୁ ନେଇ ସେ ପୁନର୍ବାର ଡାକ୍ତରଙ୍କୁ ଦେଖାଇବା ସହ କିଭଳି ପକାଯିବ ପଚାରିଥିଲେ । ମାତ୍ର ଡାକ୍ତର ଠିକ୍‌ ଥିବା କହି ଏହାକୁ ଦିନକୁ ୪/୫ ଥର ପକାଇବା ପାଇଁ ପରାମର୍ଶ ଦେଇଥିଲେ । ସେଦିନ ରିଙ୍କିର ଆଖିରେ ୪/୫ ଥର ଔଷଧ ପକାଇବା ପରେ ଆଖିଟି ସମ୍ପୂର୍ଣ୍ଣ ଭାବେ ଫୁଲି ଯାଇଥିଲା । ତେଣୁ ପରଦିନ ଅର୍ଥାତ୍ ୩୦ ତାରିଖ ଦିନ ରିଙ୍କିକୁ ଭୁବନେଶ୍ବରର ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟକୁ ଆଣିଥିଲେ ପରିବା ଲୋକେ ।  ସେଠାରେ ଡାକ୍ତର ପୂର୍ବ ଔଷଧ ଦେଖିବା ପରେ ଏହା କାନ ଡ୍ରପ୍‌ ବୋଲି କହିଥିଲେ ଏବଂ ଏହି ଔଷଧ ପକାଇବା ଦ୍ବାରା ଆଖି ଅଧିକ ଗୁରୁତର ହୋଇ ନଷ୍ଟ ହେବାକୁ ଯାଉଥିବା କହିଥିଲେ । ଏଥି ସହ ଆଖିର ଫୁଲା କମିବା ପରେ ଅସ୍ତ୍ରୋପଚାର ହେବ ବୋଲି କହିଥିଲେ । ଏହା ପରେ ପରିବାର ଲୋକେ ଅନ୍ୟ ଏକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଦେଖାଇଥିଲେ । ସେଠାରେ ଡାକ୍ତର ସେହି ସମାନ କଥା କହିବା ପରେ ରିଙ୍କିଙ୍କୁ ଏଲ୍.ଭି ପ୍ରସାଦ ଅଣାଯାଇ ସେଠାରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ ରହିବା ପରେ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଫୁଟି ଯାଇଥିବା ଜଣାପଡ଼ିଛି। ଏବେ ଡାକ୍ତର ଔଷଧ ଦେଇ ଘରକୁ ପଠାଇ ଦେଇଥିବା ବେଳେ, ୨/୩ ଦିନ ମଧ୍ୟରେ ଅସ୍ତ୍ରୋପଚାର କରି ଆଖିଟିକୁ ସମ୍ପୂର୍ଣ୍ଣ ବାହାର କରିବା ପାଇଁ ସମୟ ଦେଇଛନ୍ତି। କିନ୍ତୁ ଏହି ଅସ୍ତ୍ରୋପଚାର ପାଇଁ ଏବେ ଅର୍ଥ ବାଧକ ସାଜିଥିବା ପରିବାର ଲୋକେ କହିଛନ୍ତି। ଚନ୍ଦ୍ରକାନ୍ତଙ୍କର ଦୁଇଟି ଝିଅ ଥିବା ବେଳେ ରିଙ୍କି ହେଉଛି ସାନଝିଅ । ଡାକ୍ତର ଏବଂ ନିରାମୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ତାଙ୍କ ଝିଅର ଭବିଷ୍ୟତ ଅନ୍ଧାର ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ। ଏଥିପାଇଁ ସେ ଉଭୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ତାଙ୍କୁ କିଭଳି ନ୍ୟାୟ ମିଳିବ ସେ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ବେତ କୁମାର ମହାପାତ୍ରଙ୍କ କହିବା କଥା, ସେଦିନ କିଏ ଡ୍ୟୁଟିରେ ଥିଲା ଦେଖିବାକୁ ପଡ଼ିବ। ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଜିଲ୍ଲାପାଳ ଦୃଷ୍ଟି ଇନଥିବାରୁ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

ଆଖି ଡ୍ରପ ବଦଳରେ କାନ ଡ୍ରପ ଦିଆଗଲା କାହିଁକି ?

ନିରାମୟ ସଂସ୍ଥାରେ ଯେଉଁ ବ୍ୟକ୍ତିମାନେ ରହୁଛନ୍ତି ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କମ୍ କି ?

ଅଯୋଗ୍ୟ ବ୍ୟକ୍ତିଙ୍କୁ ନିରାମୟରେ କାହିଁକି ନିଯୁକ୍ତି ଦିଆଗଲା ?

ନିରାମୟରୁ ଯଦି ଭୁଲ ଔଷଧ ଦିଆଗଲା ତେବେ ଡାକ୍ତର କ’ଣ କରୁଥିଲେ ?

ରୋଗୀଙ୍କ ବାପା ଡାକ୍ତରଙ୍କୁ ମେଡିସିନ ଦେଖାଇଥିଲେ, ହେଲେ ଡାକ୍ତର ଜାଣିପାରିଲେ ନି କେମିତି ?

ନା ସମ୍ପୃକ୍ତ ଡାକ୍ତରଙ୍କର ଔଷଧ ଚିହ୍ନିବାର ଜ୍ଞାନ ନାହିଁ ?

ଏବେ ସେ ଝିଅକୁ ଆଖି ଦେବ କିଏ ?

ଜାଣି ଜାଣି ଗୋଟିଏ ଭବିଷ୍ୟତର ଆଖିକୁ ନଷ୍ଟ କରାଗଲା ହେଲେ ଏଯାଏ  ଜିଲ୍ଲାପାଳ, ସ୍ବାସ୍ଥ୍ୟ ବିଭାଗ ଏବଂ 5-ଟି ସଚିବ ଚୁପ୍ କାହିଁକି ?

ଦୋଷୀ ଡାକ୍ତର ଏବଂ ନିରାମୟ କାଉଣ୍ଟରୁ ମେଡିସିନ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନା ନାହିଁ ?

ଅନ୍ୟପଟେ ଏହି ଘଟଣାରେ ରାଜ୍ୟ ମାନବାଧିକାର କମିସନ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । କେଉଁ ପରିସ୍ଥିତିରେ ଡାକ୍ତର ଲେଖିଥିବା ମେଡିସିନକୁ ନିରାମୟ କେନ୍ଦ୍ର ପକ୍ଷରୁ ମନଇଛା ବଦଳାଗଲା ଏବଂ ରୋଗୀଙ୍କ ବାପା ସେହି ଔଷଧକୁ ଯେତେବେଳେ ଡାକ୍ତରଙ୍କୁ ଦେଖେଇଲେ ସେତେବେଳେ ଡାକ୍ତର କାହିଁକି ଏହା ଭୁଲ ଔଷଧ ବୋଲି କହିଲେ ନାହିଁ । କିଭଳି କାନ ଔଷଧକୁ ଆଖିରେ ପକାଇବାକୁ ଡାକ୍ତର ପରାମର୍ଶ ଦେଲେ । ନଭେମ୍ବର 14 ସୁଦ୍ଧା ଜଣାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟମାନବାଧିକାର କମିସନ । ଏହା ପୂର୍ବରୁ ଏହି ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିଲା ବଲାଙ୍ଗିର ଜିଲ୍ଲା ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ଯେଉଁଠି ହୋମିଓପାଥିକ ଡାକ୍ତର ଲେଖିଥିଲେ ଏଲୋପାଥିକ ମେଡିସିନ । ଅନ୍ୟ ଜଣେ MBBS ଡାକ୍ତରଙ୍କ ପ୍ୟାଡରେ ମେଡିସିନ ଲେଖିଲେ ହୋମିଓପାଥିକ ଡାକ୍ତର ।  ମେଡିକାଲ କ୍ବାର୍ଟର୍ସରେ ଏକ କ୍ଲିନିକ୍ ଖୋଲି ଏଭଳି ବେଆଇନ କାରବାର କରିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ମାଗଣା ମେଡିସନକୁ ରୋଗୀଙ୍କୁ ବିକ୍ରି କରୁଥିଲେ ଡାକ୍ତର । ଏହାର ଖୁଲାସା ସାମ୍ବାଦିକ କରିବାରୁ ତାଙ୍କୁ ଗୁଣ୍ଡା ଲଗାଇ ହତ୍ୟା ଧମକ ମଧ୍ୟ ଦିଆଯାଇଥିଲା । ଏନେଇ ପୂର୍ବ ସପ୍ତାହରେ ସତ୍ୟପାଠରେ ଖବର ପ୍ରସାରଣ କରାଯାଇଥିଲା ବି ଏଯାଏ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା 5-ଟି ବିଭାଗ ଏବଂ ଏହାର ସଚିବଙ୍କ ପାରିବା ପଣିଆ ଓ ବାହାପିଆମିକୁ ପଦାରେ ପକାଇଛି । ଏଥିରୁ 5-ଟି କାର୍ଯ୍ୟକ୍ରମ ଯେ କେବଳ ନିଜର ଭାବମୂର୍ତ୍ତୀ ସଜାଡ଼ିବାକୁ ପ୍ରଚାର ପ୍ରସାର କରାଯାଉଥିବା ଭଳି ମନେ ହେଉଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।

Related Posts