ୟୁକ୍ରେନ ସ୍ୱାଧିନତା ଦିବସରେ ରେଳ ଷ୍ଟେସନରେ ମିସାଇଲ ମାଡ କଲା ଋଷ: ୨୨ମୃତ, ୫୦ ଆହତ

ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଫେବୃୟାରୀ ୨୪ ରୁ ଆରମ୍ଭ ହୋଇଥିବା ଯୁଦ୍ଧ ଏଯାବତ୍ ଚାଲୁ ରହିଛି । ଋଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରୁଛନ୍ତି । ଯାହାର କଡ଼ା ମୁକାବିଲା କରିଛି ୟୁକ୍ରେନ । ତେବେ ଏହାମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ବୁଧବାର ଏକ ବଡ ଦାବି କରିଛନ୍ତି ।

ୟୁକ୍ରେନ ସ୍ୱାଧିନତା ଦିବସରେ ଋଷ ଏକ ରେଳ ଷ୍ଟେସନରେ ମିସାଇଲ ମାଡ କରିଥିଲା । ଯେଉଁଥିରେ ୨୨ ଜଣ ପ୍ରାଣ ହରାଇଥିବା ବେଳେ ୫୦ ଜଣ ଆହତ ହୋଇଥିବା ସେ ଦାବି କରିଛନ୍ତି ।

ଜେଲେନସ୍କି ପୂର୍ବରୁ କହିଥିଲେ ଯେ, ଦେଶର ସ୍ୱାଧିନତା ଦିବସରେ ଋଷ କିଛି ବଡ ଅଘଟଣ ଘଟାଇପାରେ । ଏହାପର ଦିନ ସେ କହିଛନ୍ତି ଯେ, ଋଷ ଡୋନେସ୍କରୁ ୧୪୫ କିମି ଦୂରରେ ଥିବା ସହର ଚ୍ୟାମ୍ପଲିନ ଏକ ଟ୍ରେନ୍ ଉପରେ ରକେଟ୍ ଆକ୍ରମଣ କରିଥିଲା । ଯେଉଁଥିରେ ବଗିରେ ନିଆଁ ଲାଗିଯାଇଥିଲା ।

ସେ ଆହୁରି କହିଛନ୍ତି ଯେ, ଟ୍ୟାମ୍ପଲିନ୍ ଏବେ କଷ୍ଟ ସମୟ ଦେଇ ଗତି କରୁଛି । ଏସବୁ ପାଇଁ ଋଷ ଦାୟୀ । ସେମାନେ ଆକ୍ରମଣକାରୀଙ୍କୁ ନିଜ ମାଟିରୁ ତଡିଦେବେ । ୟୁକ୍ରେନରେ ଋଷ ପାପର କିଛି ଛିଟା ରହିବ ନାହିଁ । ତେବେ ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଏପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହିଁ ।

ସୂଚନାଯୋଗ୍ୟ, ୟୁକ୍ରେନରେ ଅଗଷ୍ଟ ୨୪ ତାରିଖରେ ସ୍ୱାଧିନତା ଦିବସ ଥିଲା । କିନ୍ତୁ କୌଣସି ସମାରୋହର ଆୟୋଜନ ହୋଇନଥିଲା । କିନ୍ତୁ ୟୁକ୍ରେନ ନାଗରିକ ଏକ ସ୍ୱତନ୍ତ୍ର କୁର୍ତ୍ତା ପରିଧାନ କରିଥିଲେ ।

Related Posts