ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ୨୫ ଓ ୨୭ ତାରିଖ ଦୁଇ ଦିନ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ । ୨୫ରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ଏହି ପୂର୍ବାନୁମାନ କରିଛି ।

ବିଭାଗର ଆକଳନ କହୁଛି, ୨୫ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼ ଓ କେନ୍ଦୁଝର ଦୁଇଟି ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ । ୨୭ରେ ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ ଓ ଗଜପତିରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବୁଧବାର ଫୁଲବାଣୀରେ ୫୭ ମିଲିମିଟର, ଅନୁଗୁଳରେ ୪୨, ମାଲକାନଗିରିରେ ୩୪.୨, ବୌଦ୍ଧରେ ୨୭.୫, କୋରାପୁଟରେ ୨୩, ନୟାଗଡ଼ରେ ୨୨, ନବରଙ୍ଗପୁରରେ ୨୦, ଦାରିଙ୍ଗିବାଡ଼ିରେ ୧୬, ବାରିପଦାରେ ୧୩, ହୀରାକୁଦ ଓ ତାଳଚେରରେ ୧୦ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ବାଙ୍ଗିରିପୋଷିରେ ୮୧.୨ ମିମି, ପାରାଦୀପରେ ୬୬.୩, ଆର୍‌. ଉଦୟଗିରିରେ ୬୬, କୁଜଙ୍ଗରେ ୬୫, ବରୀରେ ୬୩, କୋରାପୁଟ ବନ୍ଧୁଗାଁରେ ୫୭, ମହାକାଳପଡ଼ାରେ ୫୩ ମିମି ବର୍ଷା ହୋଇଛି।

Related Posts