ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ମାଣ ହେବ ବିଧାୟକ ଭବନ । ଏନେଇ ବିଧାନସଭା ଏଥିକ୍ସ କମିଟିରେ ସୋମବାର ଆଲୋଚନା ହେବା ପରେ ଏ ସମ୍ପର୍କିତ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯିବ ବୋଲି ସ୍ଥିର ହୋଇଛି। ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏଥିକ୍ସ କମିଟି ବୈଠକରେ ହୋଇଥିବା ଆଲୋଚନା ମୁତାବକ, ୩ଟି ମୁଖ୍ୟ କାରଣ ଲାଗି ଏହି ବିଧାୟକ ଭବନ ନିର୍ମାଣ ନେଇ କମିଟି ଆଲୋଚନା କରିଛି।
ପ୍ରତି ନିର୍ବାଚନମଣ୍ଡଳୀର ଲୋକମାନେ ଗୋଟିଏ ସ୍ଥାନରେ ଯେପରି ବିଧାୟକଙ୍କୁ ଭେଟି ନିଜ ସମସ୍ୟା ସମ୍ପର୍କରେ ଜଣାଇପାରିବେ ଏହା ଏକ ପ୍ରମୁଖ କାରଣ। ଗୋଟିଏ ଗୋଟିଏ ଏଭଳି ନିର୍ବାଚନମଣ୍ଡଳୀ ରହିଛି ଯେଉଁଠି ଲୋକଙ୍କୁ ବିଧାୟକଙ୍କୁ ଭେଟିବା ଲାଗି ଅନେକ ସମସ୍ୟା ରହିଛି। ଫଳରେ ସମସ୍ୟାର ସମାଧାନ ସହଜ ହୋଇପାରୁ ନାହିଁ। ବିଧାନସଭା ନିର୍ବାଚନମଣ୍ଡଳୀସ୍ତରରେ ବିଧାୟକଙ୍କ ବୈଠକଙ୍କ ପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିବାରୁ ବିଧାୟକମାନେ ସରକାରୀ ଡାକବଙ୍ଗଳା, ଅତିଥି ଭବନରେ ବୈଠକ କରୁଛନ୍ତି। ଏହାଦ୍ବାରା ଉକ୍ତ ଅତିଥି ଭବନଗୁଡ଼ିକ ଠିକ୍ କାର୍ଯ୍ୟରେ ବ୍ୟବହାର ହୋଇପାରୁନି। ତେଣୁ ପ୍ରତି ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ନିର୍ମାଣ କରିବାକୁ ବିଧାୟକମାନେ ଦୀର୍ଘ ଦିନ ହେଲା ଦାବି କରୁ ଆସୁଛନ୍ତି। ତେଣୁ ଖୁବ୍ଶୀଘ୍ର ପ୍ରତି ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ଖୋଲିବାକୁ ବିଧାନସଭା ଏଥିକ୍ସ କମିଟି ପକ୍ଷରୁ ସୁପାରିସ କରାଯିବ ବୋଲି ଜଣାପଡ଼ିଛି। ଜନପ୍ରତିନିଧିମାନଙ୍କୁ ଲୋକମାନେ ଯେପରି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପାଇପାରିବେ ସେନେଇ ଏହି ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଦଳମତ ନିର୍ବିଶେଷରେ ସବୁ ବିଧାୟକ ଏହାକୁ ସ୍ବାଗତ କରିଛନ୍ତି।
ବରିଷ୍ଠ ବିଧାୟକ ପ୍ରଫୁଲ ସାମଲ କହିଛନ୍ତି, ସବୁ ନିର୍ବାଚନମଣ୍ଡଳୀରେ ବିଧାୟକମାନଙ୍କ କାର୍ଯ୍ୟାଳୟ ରହିବା ଉଚିତ। ଏହା କୌଣସି ବ୍ୟକ୍ତିଗତ ନୁହେଁ। ଯିଏ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିବେ ସେମାନେ ଉକ୍ତ କାର୍ଯ୍ୟାଳୟ ବ୍ୟବହାର କରିବେ। ଯାହାର ଯେଉଁ ସମସ୍ୟା ନେଇ ବିଧାୟକଙ୍କୁ ଭେଟିବାକୁ ଚାହିଁବେ ସେଠାରେ ଭେଟିପାରିବେ। ଫଳରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ହୋଇପାରିବ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଏହା ଏକ ଭଲ ପ୍ରସ୍ତାବ। ଗରିବ ଲୋକମାନେ ଆସିଲେ ସେଠାରେ ବିଧାୟକଙ୍କୁ ପାଇପାରିବେ। ଫଳରେ ଲୋକଙ୍କ ସମସ୍ୟାଗୁଡିକ ମଧ୍ୟ ସହଜରେ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।
ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ବିଧାୟକ ଭବନ ହେଲେ ଲୋକମାନେ ଦୁଇଟି ସୁବିଧା ପାଇପାରିବେ। ପ୍ରଥମତଃ ଯେଉଁ ଜନତା ଭୋଟ ଦେଇ ବିଧାୟକ ବାଛିଚନ୍ତି ସେମାନେ ତାଙ୍କ ଜନପ୍ରତିନିଧିଙ୍କୁ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ପାଇପାରିବେ। ଏହାଦ୍ୱାରା କାର୍ଯ୍ୟାଳୟ ଠିକ୍ ଭାବେ କାର୍ଯ୍ୟ କରିବ। ଅନେକ ସମୟରେ ଭିସି ଯୋଗେ ବିଧାୟକମାନଙ୍କୁ ଯୋଗ ଦେବାକୁ ହେଲେ ବ୍ଲକ କିମ୍ବା ଜିଲାପାଳଙ୍କ ଅଫିସ୍ ଯିବାକୁ ପଡୁଛି, ବିଧାୟକ ଭବନ ହେଲେ ସେହି ସମସ୍ୟା ରହିବ ନାହିଁ।
