ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜନ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବିଦା କରାଯାଇଛି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେମାନଙ୍କ ବହିଷ୍କାର କରାଯାଇଛି।ଏନେଇ ଘୋଷଣା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ବିଜେଡି ପକ୍ଷରୁ ଏକ ପ୍ରେସ ରିଲିଜ୍‌ ଜାରି କରାଯାଇଛି। ଯେଉଁ ପ୍ରେସ୍‌ ରିଲିଜ୍‌ ଉଲ୍ଲେଖ କରାଯାଇଛି ଯେ ‘ସମ୍ବାଦ’ ଲୋନ୍‌ ସ୍କାମ୍‌ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଛି। ‘ଲୋନ୍‌ ସ୍କାମ୍‌ ନେଇ ଇଓଡବ୍ଲୁରେ ସୌମ୍ୟଙ୍କ ନାଁରେ ଅଭିଯୋଗ ହୋଇଛି। ଅନେକ ପୂର୍ବତନ କର୍ମଚାରୀ ଏନେଇ ଅଭିଯୋଗ କରିଛନ୍ତି। ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍‌ ଉଠାଯାଇଛି। ଜାଲ୍‌ ଡକ୍ୟୁମେଣ୍ଟ ଯୋଗେ କୋଟି କୋଟି ଟଙ୍କା ଉଠାଯାଇଛି। ଲୋନ୍‌ ଉଠାଇବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ୍‌ ଫ୍ରଡ୍‌ ବୋଲି ପ୍ରେସ ରିଲିଜରେ ଉଲ୍ଲେଖ ରହିଛି।

ତେବେ ଗତ ସେପ୍ଟେମ୍ବର ୧୨ ତାରିଖରେ ସୌମ୍ୟଙ୍କୁ଼ ବିଜେଡି ଦଳର ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ସେଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲା।

ସୌମ୍ୟ ଗତ କିଛି ଦିନ ହେବ ଆମଘରର ହାଲଚାଲରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ। ଏହା ସହିତ ନବୀନଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ଅଙ୍ଗୁଳି ଉଠାଇଥିଲେ। ଯାହା ସୌମ୍ୟଙ୍କୁ ମହଙ୍ଗା ପଡ଼ିଛି। ପ୍ରଥମେ ତାଙ୍କୁ ଦଳ ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା। ଆଜି ପୁଣି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କାର କରାଯାଇଛି।

ଏହାସହ କିଛି ଦିନ ପୂର୍ବରୁ ଜଣେ ପୂର୍ବତନ କର୍ମଚାରୀଙ୍କ ପୁରୁଣା ଲୋନ୍ ଠକେଇ ଅଭିଯୋଗକୁ ଭିତ୍ତି କରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖବରକାଗଜ ସଂସ୍ଥା ସମ୍ବାଦ ଉପରେ କ୍ରାଇମବ୍ରାଞ୍ଚ EOWର ରେଡ୍ ହୋଇଥିଲା ।

ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ମାସରେ ସୌମ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ। ୨୦୨୦ ମସିହାରେ ବିଜେଡି ତାଙ୍କୁ ଦଳର ଉପସଭାପତି ପଦ ସହ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଥିଲା। ମାତ୍ର ପରେ ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ଦେଇଥିଲା।

ସେହିପରି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନାଁରେ ଚାଷୀଙ୍କ ସବସିଡି ହଡପ ଅଭିଯୋଗ ଆସିଥିଲା |