ରାମନବମୀ ଅବସରରେ ଶିବସେନା ଭବନ ବାହାରେ ହନୁମାନ ଚାଳିଶା ବଜାଇଲେ ଏମଏନଏସ କର୍ମୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଲାଉଡ ସ୍ପିକରକୁ ନେଇ ବିବାଦ ଥମିବାରେ ନାଁ ହିଁ ନେଉନି । ଏହା ମଧ୍ୟରେ ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବନିର୍ମାଣ ସେନା ମୁମ୍ବାଇରେ ରାମନବମୀ ଉପଲକ୍ଷେ ଶିବସେନାର ପାର୍ଟି ମୁଖ୍ୟାଳୟ ‘ଶିବସେନା ଭବନ’ ବାହାରେ ଲାଉଡ ସ୍ପିକରରେ ହନୁମାନ ଚଲିସା ବଜାଇଥିବାର କଥା ସାମ୍ନାକୁ ଆସିଛି । କିଛି ସମୟ ପରେ ପୋଲିସ ଦ୍ୱାରା ଏହି ଲାଉଡ ସ୍ପିକରକୁ ବନ୍ଦ କରିଦିଆଯାଇଥିଲା । ସେପଟେ ପୋଲିସ ଏମଏନଏସ କାର‌୍ୟ୍ୟକର୍ତ୍ତା ଯଶୱନ୍ତ କିଲଦାର ଏବଂ ଅନ୍ୟ ତିନିଜଣ କର୍ମୀଙ୍କୁ ଗିରଫ କରିଥିଲା। ତାଙ୍କୁ ଗିରଫ କରାଯିବା ପରେ, ଅନେକ ଏମଏନଏସ କର୍ମଚାରୀ ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଛୋଟ ମନ୍ଦିରରେ ଏକାଠି ହୋଇ ହନୁମାନ ଚଲିସା ପାଠ କରିବା ଆରମ୍ଭ କରିଥିଲେ। ଏହି ପ୍ରସଙ୍ଗରେ ପୋଲିସ କହିଛି ଯେ ଶିବସେନା ଭବନ ସମ୍ମୁଖରେ ଲାଉଡ ସ୍ପିକର ବଜାଇବା ପାଇଁ ଆମେ ଏମଏନଏସ କର୍ମଚାରୀଙ୍କୁ ଅଟକ ରଖିଛୁ। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି। ଅନ୍ୟପଟେ ନିକଟରେ ଏମଏନଏସ ମୁଖ୍ୟ ରାଜ ଠାକରେ ମହାରାଷ୍ଟ୍ରର ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ ଦାବି କରିଥିଲେ।

ରାଜ ଠାକରେ କହିଥିଲେ ଯେ ଯଦି ମସଜିଦରୁ ଲାଉଡ ସ୍ପିକର ହଟାନଯାଏ, ତାହାଲେ ସେ ମସଜିଦ ସମ୍ମୁଖରେ ହନୁମାନ ଚଲିସା ବଜାଇବେ । ଠାକରେଙ୍କ ଏହି ବିବୃତ୍ତି ପରେ, ଏମଏନଏସ କର୍ମୀମାନେ ବିଭିନ୍ନ ସ୍ଥାନରେ ଲାଉଡ ସ୍ପିକରରେ ହନୁମାନ ଚଲିସା ପାଠ କରିବା ଆରମ୍ଭ କରିଛନ୍ତି । କୁର୍ଲାରେ, ଏମଏନଏସ କର୍ମୀମାନେ ଲାଉଡ ସ୍ପିକରରେ ହନୁମାନ ଚଲିସା ବଜାଇବାକୁ ଚେଷ୍ଟା କରିଥିଲେ । ଯାହା ପରେ ପୁଲିସ ଏମଏନଏସ କର୍ମୀମାନଙ୍କୁ ଗିରଫ କରିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ରାଜ ଠାକରେ ମହାରାଷ୍ଟ୍ରର ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ ଦାବି କରୁଛନ୍ତି। ଏ ସମ୍ପର୍କରେ ସେମାନେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଅନ୍ୟପକ୍ଷରେ, ତାଙ୍କ ଦଳର କର୍ମୀମାନେ ବିଭିନ୍ନ ସ୍ଥାନରେ ଲାଉଡ ସ୍ପିକର ଲଗାଇ ହନୁମାନ ଚଲିସା ପାଠ କରିବା ଆରମ୍ଭ କରିଛନ୍ତି। ଏମଏନଏସ କର୍ମୀଙ୍କ ଏହି ପଦକ୍ଷେପ ଉପରେ ଗୃହମନ୍ତ୍ରୀ ଦିଲୀପ ୱାଲ୍ସ ପାଟିଲ ଚେତାବନୀ ଦେଇଛନ୍ତି ଯେ ଯେଉଁମାନେ ସମାଜରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Posts