
ରାଫେଲ ବିମାନ କିଣାକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ସବୁବେଳେ ଟାର୍ଗେଟ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ନିକଟରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟିବା ପରେ ମଧ୍ୟ ରାହୁଲ ରାଫେଲ କଥା ଉଠାଇଥିଲେ । ଏହାର ଦୃଢ ଜବାବ ମଧ୍ୟ ଦେଇଥିଲେ ପାରିକର ।
ରାହୁଲ ସବୁବେଳେ ରାଫେଲ ରାଫେଲ ହେଉଥିବାରୁ ତାଙ୍କୁ ଚିଡେଇବାକୁ ମୋଦି ସରକାର ଏକ ନୂଆ ଯୋଜନା କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୨୦-୨୪ ତାରିଖରେ ବେଙ୍ଗାଲୁରୁର ହେଲେହେଙ୍ଗା ବାୟୁସେନା ଘାଟିଠାରେ ହେବାକୁ ଥିବା ବେଙ୍ଗାଲୁରୁ ଏୟାର ସୋ’ରେ ରାଫେଲ ଲଢୁଆ ବିମାନର ଉଡ଼ାଣ କରାଯିବ ।
ଏଥିପାଇଁ ରାଫେଲ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଆଭିଏସନ ପକ୍ଷରୁ ୩ଟି ରାଫେଲ୍ ଭାରତକୁ ଆସିବ । ୨ଟି ରାଫେଲ୍ ବିମାନ ଉଡ଼ାଣ ଭରିବା ସହ ନିଜର ରଣକୌଶଳ ଓ କ୍ଷମତାର ପ୍ରଦର୍ଶନ କରିବେ । ତୃତୀୟ ରାଫେଲ ବିମାନଟି ଗ୍ରାଉଣ୍ଡରେ ରଖାଯାଇ ପ୍ରଦର୍ଶିତ କରାଯିବ ।
ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ କିଣିବା ପାଇଁ ଫ୍ରାନ୍ସ ସହ ୫୯ ହଜାର କୋଟି ଟଙ୍କାର ଡିଲ୍ କରିଥିଲେ । ନିକଟରେ ସରକାର ମୋଟ ରାଶିର ୨୫ ପ୍ରତିଶତ ଫ୍ରାନ୍ସ ସରକାରଙ୍କୁ ପଇଠ କରିଛନ୍ତି । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସଲ୍ଟ ଆଭିଏସନ୍କୁ ପ୍ରଦାନ କରିବେ ।