ଭୋଟ ଦିନ ରୋଡ ଶୋ’କୁ ନେଇ ବିବାଦରେ ମୋଦି; ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ବିରୋଧୀ

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଅହମ୍ମଦାବାଦରେ ଭୋଟ ଦେବା ପାଇଁ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ବିରୋଧୀ ଏହାକୁ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି କହିଛନ୍ତି । ଗୋଟିଏ ପଟେ କଂଗ୍ରେସ କହିଛି ଯେ, ଗୁଜରାଟ ନିର୍ବାଚନର ସମୟରେ ବିଜେପି ଅନେକ ଥର ନିର୍ବାଚନ ଆଚରଣ ବିଧିର ଧଜ୍ଜିଆ ଉଡାଉଛି । ଏହାପରେ ବି ନିର୍ବାଚନ ଆୟୋଗ ଚୁପ ବସିଛନ୍ତି ।

କଂଗ୍ରେସ ମୁଖପାତ୍ର ପବନ ଖେଡା ଏନେଇ କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ମୌନ ରହିବା ଗଣତନ୍ତ୍ର ପାଇଁ ବିପଦର ଘଣ୍ଟି ।କଂଗ୍ରେସ ଏହା ଉପରେ ଆଇନଗତ ଦୃଷ୍ଟିକୁ ନେଇ ଚର୍ଚ୍ଚା କରୁଛି । ଏହାପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ପବନ ଖେଡା ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଭୋଟ ଦେବାକୁ ଯାଉଛନ୍ତି । ଅଢେଇ ଘଣ୍ଟାରୁ ଅଧିକ ସମୟ ଯାଏ ସବୁ ଚ୍ୟାନେଲ ଏହାର ପ୍ରସାରଣ କରୁଥିଲେ । ଏହା ପରେ ବି ନିର୍ବାଚନ ଆୟୋଗ ବିଜେପିକୁ କିଛି କହୁ ନାହନ୍ତି । ଖେଡା କହିଛନ୍ତି, ଭୋଟିଂ ଜାରି ରହିଛି ଏବଂ ଏହି ସମୟରେ ରୋଡ ଶୋ କରାଯାଉଛି । ଏହାକୁ ନେଇ ଆଇନଗତ ଦୃଷ୍ଟିରୁ ଚର୍ଚ୍ଚା କରାଯାଉଛି ।

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସବୁ ବିଜେପି ନେତାଙ୍କୁ ନିଶାନା କରିଛନ୍ତି । ସେ ପିଏମ ମୋଦୀ ଏବଂ ବିଜେପି ନେତାଙ୍କୁ ଭିଭିଆଇପି କହିବା ସହ ଏହିମାନେ କିଛି କରି ପାରିବେ ବୋଲି କହିଛନ୍ତି । ମମତା ବାନାର୍ଜୀ କହିଛନ୍ତି, ‘ଭୋଟିଂ ଦିନ ରୋଡ ଶୋ ପାଇଁ ଅନୁମତି ନଥାଏ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ଦଳ ଭିଭିଆଇପି କିଛି ବି କରିପାରିବେ ଏବଂ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ’।

ଅନ୍ୟପଟେ ବିଜେପି ମୁଖପାତ୍ର ଟମ ୱାଡକ୍କନ ଏନେଇ କହିଛନ୍ତି ଯେ, ଏହା ରୋଡ ଶୋ ନଥିଲା । ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ପୋଲିଂ ବୁଥ ଠାରୁ ବହୁ ଦୂରରେ ପାର୍କ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଚାଲି ଚାଲି ଭୋଟ ଦେବାକୁ ପହଞ୍ଚଥିଲେ। ଏହା ରୋଡ ଶୋ ନଥିଲା’।

ଉଲ୍ଲେଖଯୋଗ୍ୟ ଯେ, ସୋମବାର ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ଡିସେମ୍ୱର ୮ରେ ଏହି ନିର୍ବାଚନର ପରିଣାମ ଆସିବ।

Related Posts