‘ମୋଦି ହେଉଛନ୍ତି ଭଗବାନଙ୍କ ଅବତାର, ସେ ଚାହିଁଲେ ଆଜୀବନ ପ୍ରଧାନମନ୍ତ୍ରୀ ରହିବେ’; ୟୁପି ମନ୍ତ୍ରୀ ଗୁଲାବ ଦେବୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଭଗବାନଙ୍କ ଅବତାର ଭଳି। ତାଙ୍କ ନିକଟରେ ଅସାଧାରଣ ପ୍ରତିଭା ରହିଛି। କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ଉତ୍ତରପ୍ରଦେଶର ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଗୁଲାବ ଦେବୀ । ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଯେତେଦିନ ପର୍ଯ୍ୟନ୍ତ ଇଚ୍ଛା କରିବେ ତାଙ୍କ ପଦବୀରେ ରହି ପାରିବେ। ମୋଦି ହେଉଛନ୍ତି ଭଗବାନଙ୍କର ଜଣେ ଅବତାର ଭଳି । ତାଙ୍କ ନିକଟରେ ଅସାଧାରଣ ଜ୍ଞାନ ଓ ପ୍ରତିଭା ରହିଛି। କେହି ତାଙ୍କ ସହ ତୁଳନୀୟ ନୁହଁ। କେହି ତାଙ୍କୁ ଟକ୍କର ଦେଇ ପାରିବେ ନାହିଁ। ସେ ଯଦି ଚାହିଁବେ ବଞ୍ଚିଥିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିପାରିବେ ବୋଲି ଗୁଲାବ ଦେବୀ କହିଛନ୍ତି।

ତେବେ ୟୁପିର ଚନ୍ଦୌସି ବିଧାୟକ ଗୁଲାବ ଦେବୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି ଯେ, ମୋଦିଙ୍କର ବିକଳ୍ପ ନାହିଁ। ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ଯେ, ବିରୋଧୀ ଚାହୁଁଛନ୍ତି ଜଣେ ପଛୁଆ ବର୍ଗର ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଏହାର ଉତ୍ତରରେ ସେ କହିଛନ୍ତି ଯେ ଚର୍ଚ୍ଚା ହେଲେ କିଛି ଘଟିନଥାଏ। ମୋଦି ହେଉଛନ୍ତି ଜଣେ ଅସାଧାରଣ ବ୍ୟକ୍ତି। ସେ ଚାହିଁଲେ ସାରା ଜୀବନ ପ୍ରଧାନମନ୍ତ୍ରୀ ରହିବେ। ଭଗବାନ ତାଙ୍କୁ ତାଙ୍କ ପ୍ରତିନିଧି ଭାବେ ପଠାଇଛନ୍ତି। ମୋଦି ଯେମତି ଇଚ୍ଛା କରିବେ ଲୋକେ ତାହା କରିବା ପାଇଁ ପ୍ରସ୍ତୁତ। ସାରା ଦେଶ ପ୍ରଧାନମନ୍ତ୍ରୀଙ୍କ କଥାକୁ ଆନ୍ତରିକ ସହ ଅନୁସରଣ କରୁଛି ଓ ସମ୍ମାନ ଦେଉଛନ୍ତି ମଧ୍ୟ। ଏହାଠାରୁ ବଡ଼ ଗ୍ରହଣୀୟତା ଆଉ କଣ ହୋଇପାରେ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

Related Posts