‘ମୋଦୀ ସରନେମ୍‌’ ମାନହାନୀ ମୋକଦ୍ଦମା ମାମଲା : ରାହୁଲ ଗାନ୍ଧୀ କୋର୍ଟଙ୍କୁ କହିଲେ – ” ଏହା ଏକ ବ୍ୟଙ୍ଗାତ୍ମକ କଟାକ୍ଷ ଥିଲା “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ବୋଲି ମନ୍ତବ୍ୟ ଦେଇଥିଲେ। ଗୁଜରାଟ ସୁରଟ କୋର୍ଟରେ ମୋଦି ସରନେମ୍‌କୁ ନେଇ ରାହୁଲଙ୍କ ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ଗୁରୁବାର ରାହୁଲ ଗାନ୍ଧୀ ସୁରଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର ହୋଇଛନ୍ତି। ରାହୁଲ ଗାନ୍ଧୀ କୋର୍ଟଙ୍କୁ କହିଛନ୍ତି, “ମୁଁ କୌଣସି ସମ୍ପ୍ରଦାୟକୁ ଟାର୍ଗେଟ କରିବାକୁ ଚାହୁଁ ନଥିଲି। ନିର୍ବାଚନ ସମୟରେ ଏହା ଏକ ନିର୍ବାଚନୀ କଟାକ୍ଷ ଥିଲା । ଏ ବିଷୟରେ ମୋର ଅଧିକ ମନେ ନାହିଁ।” ଏହି ବୟାନ ବିରୋଧରେ ଗୁଜରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ଏପ୍ରିଲ 2019 ରେ ଆଇପିସିର ଧାରା 499 ଏବଂ 500 ଅନୁଯାୟୀ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ୨୦୧୯ ଏପ୍ରିଲ୍‌ ୧୩ରେ କର୍ଣ୍ଣାଟକର କୋଲାରଠାରେ ଏକ ନିର୍ବାଚନ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ, ଲଳିତ ମୋଦି, ନୀରବ ମୋଦି, ନରେନ୍ଦ୍ର ମୋଦିଙ୍କ ଟାଇଟେଲ୍ (ସରନେମ୍‌) ମୋଦି । ସବୁ ଚୋରଙ୍କ ସରନେମ୍ କାହିଁକି ମୋଦୀ ବୋଲି ରାହୁଲ କଟାକ୍ଷ କରିଥିଲେ । ଏହି ମନ୍ତବ୍ୟକୁ ନେଇ ସେତେବେଳେ ରାଜନୈତିକ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ବିଜେପି କଡା ପକ୍ଷରୁ ବିରୋଧ କରାଯାଇଥିଲା। ସୂଚନାଯୋଗ୍ୟ କୋଭିଡ୍ ପରିଚାଳନା ଓ ଟୀକାକରଣ ଭଳି ସମସ୍ୟାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଗାତର ମୋଦୀ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଗତ କିଛିଦିନ ତଳେ କଂଗ୍ରେସ ପାର୍ଟି ପକ୍ଷରୁ ଏକ ହ୍ବାଇଟ୍ ପେପର ଜାରି କରିଥିଲେ।

Related Posts