ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦରଖାସ୍ତ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ଟିକେଟ କାଟିଲା ବିଜେପି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୟୁପି ଜିଲ୍ଲା ପଞ୍ଚାୟତ ସଭାପତି ନିର୍ବାଚନକୁ ନେଇ ବିଜେପିର ପ୍ରାର୍ଥୀ ସୂଚୀ ଜାରି ପରେ ଏବେ ବିବାଦ ସୃଷ୍ଟି ହୋଇଛି । ଉନ୍ନାଓ ଦୁଷ୍କର୍ମ ପୀଡିତା ବିଜେପି ପ୍ରାର୍ଥୀଙ୍କୁ ବଦଳାଇବା ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ସିଏମଙ୍କୁ ଚିଠି ଲେଖି ଦାବି କରିଛନ୍ତି । ବିଜେପି ପକ୍ଷରୁ ଜାରି ପ୍ରାର୍ଥୀ ତାଲିକାରେ ନବାବଗଞ୍ଜ ଜିଲ୍ଲା ପଞ୍ଚାୟତ ମୁଖ୍ୟ ଭାବେ ଉନ୍ନାଓ ଦୁଷ୍କର୍ମର ମୁଖ୍ୟ ଆରୋପୀ କୂଲଦୀପ ସେନଗାରର ଘନିଷ୍ଠ ସହଯୋଗୀ ଅଋଣ ସିଂହଙ୍କୁ ପ୍ରାର୍ଥୀ କରିଥିଲା। ଏହା ଜଣାପଡିବା ପରେ ଉନ୍ନାଓ ପୀଡ଼ିତା ପ୍ରାର୍ଥୀ ବଦଳାଇବା ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ସିଏମଙ୍କୁ ଚିଠି ଲେଖିଥିଲେ।ଏହା ପରେ ବିଜେପି ଅରୁଣ ସିଂହଙ୍କ ଟିକେଟ୍‌ ପ୍ରତ୍ୟାହାର କରିନେଇଛି। ତାଙ୍କ ସ୍ଥାନରେ ୨୨ ନମ୍ବର ୱାର୍ଡ ଫତେପୁର ଚୌରାଶୀ ତୃତୀୟରୁ ଜିଲ୍ଲା ପଞ୍ଚାୟତ ସଦସ୍ୟ ନିର୍ବାଚିତ ସକୁନ ସିଂହଙ୍କୁ ପ୍ରାର୍ଥୀ କରିଛି। ପୀଡିତା ଅଭିଯୋଗ କରିଥିଲେ ଯେ ଅରୁଣ ସିଂଙ୍କୁ ଯଦି ଟିକେଟ୍ ଦିଅନ୍ତି ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଜିଲା ପଞ୍ଚାୟତ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଜୁଲାଇ ୨ ଧାର୍ଯ୍ୟ ହୋଇଛି। ତେବେ ପୀଡିତାଙ୍କ ଏହି ଅଭିଯୋଗକୁ ଜିଲ୍ଲା ସଭାପତି ରାଜ କିଶୋର ରାୱତ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ଏହି ଅଭିଯୋଗ ବିରୋଧୀଦଳଙ୍କର ଏକ ଷଡଯନ୍ତ୍ର । ପୀଡିତା ପିଟିଆଇକୁ କହିଛନ୍ତି ଯେ ଯଦିଓ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ବିଜେପି ଦାବି କରୁଛି, ତଥାପି ବି ତାଙ୍କ ପିତାଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଜିଲା ପଞ୍ଚାୟତ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ବୋଲି ଘୋଷଣା କରିଛି। ସେ ଅଭିଯୋଗ କରିଛନ୍ତି, “ବିଜେପି ସରକାର ଏବେ ମଧ୍ୟ କୁଲଦୀପ ସିଂ ସେନଗରଙ୍କୁ ସମର୍ଥନ କରୁଛନ୍ତି। ଅରୁଣ ସିଂ ସେନଗରଙ୍କ ଘନିଷ୍ଠ ସହଯୋଗୀ। ମୋର ପୁରା ପରିବାର ସେନଗରଙ୍କ ଯୋଗୁଁ ନଷ୍ଟ ହୋଇଯାଇଛି । ଯଦି ଅରୁଣ ସିଂ ଟିକେଟ୍ ପାଆନ୍ତି, ତେବେ ମୋ ଜୀବନ ପ୍ରତି ବିପଦ ବଢିଯିବ ବୋଲି ସେ କହିଛନ୍ତି। ” ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ମାମୁଁ ପୋଲିସ ହେପାଜତରୁ ପାରୋଲ ଚାହୁଁଛନ୍ତି କିନ୍ତୁ ସେନଗରଙ୍କ ଯୋଗୁଁ ଏହି ଅନୁମତି ଦିଆଯାଉ ନାହିଁ। ତାଙ୍କ ପରିବାରରେ କୌଣସି ପୁରୁଷ ସଦସ୍ୟ ନ ଥିବାରୁ ତାଙ୍କ ଭଉଣୀଙ୍କ ବିବାହ ମଧ୍ୟ ଅଟକି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ 2017 ମସିହାରେ ଉନ୍ନାଓର ବଙ୍ଗରମାଉ ଆସନରୁ ପୂର୍ବତନ ବିଜେପି ବିଧାୟକ ସେନଗରଙ୍କ ବିରୋଧରେ ପୀଡିତା ବଳାତ୍କାର ଅଭିଯୋଗ କରିଥିଲେ। ଡିସେମ୍ବର 2019 ରେ ଦିଲ୍ଲୀର ଏକ କୋର୍ଟ ସେନଗରରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Related Posts