ପୁଣି ଧ୍ୟାନରେ ଲୀନ ହେବେ ମୋଦି; ନିର୍ବାଚନୀପ୍ରଚାର ପରେ ତାମିଲନାଡ଼ୁରେ ୪୮ ଘଣ୍ଟା ଧ୍ୟାନ କରିବେ

ଭୁବନେଶ୍ୱର,୨୮/୫(ସତ୍ୟପାଠ ବ୍ୟୁରୋ):  ପୁଣି ତପସ୍ୟାରେ ବସିବେ ମୋଦି । ନିର୍ବାଚନ କ୍ୟାମ୍ପେନ୍‌ ସରୁ ସରୁ ଗତ ଥର ଭଳି ଏଥର ମଧ୍ୟ ତପସ୍ୟାରେ ବସିବେ । ୪୮ ଘଣ୍ଟା ପର୍ଯ୍ୟନ୍ତ କରିବେ ତପସ୍ୟା । ତାମିଲନାଡ଼ୁ କନ୍ୟାକୁମାରୀ ଜିଲ୍ଲାରେ ଥିବା ବିବେକାନନ୍ଦ ରକ୍ ମେମୋରିଆଲରେ ୩୦ ତାରିଖଠାରୁ ତପସ୍ୟା କରିବେ । କନ୍ୟାକୁମାରୀ କୂଳରେ ଏହି ମେମୋରିଆଲ ରହିଛି । ଏହି ସ୍ଥାନରେ ସ୍ୱାମୀ ବିବେକାନନ୍ଦ ବି ତପସ୍ୟା କରୁଥିଲେ । ପାଖରେ ତାମିଲ ସନ୍ଥ ତିରୁଭଲ୍ଲୁଭାରଙ୍କ ପ୍ରତିମୂର୍ତ୍ତୀ ମଧ୍ୟ ରହିଛି ।

ଦୁଇ ଥର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ପୂରା କରିବା ପରେ ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି । ଆଉ ଶେଷ ପର୍ଯ୍ୟାୟ ନିର୍ବାଚନ ଜୁନ୍‌ ୧ ତାରିଖରେ ରହିଛି । ସେ ଶେଷ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର କରିସାରିବା ପରେ ତାମିଲନାଡ଼ୁ ଯାଇ ତପସ୍ୟାରେ ବସିବେ । ମେ’ ୩୧ ତାରିଖ ସଂଧ୍ୟାରୁ ଜୁନ ୧ ତାରିଖ ସଂଧ୍ୟା ଯାଏ ମୋଦି ଧ୍ୟାନ କରିବେ। ଆଉ ନିର୍ବାଚନ ସରିବା ପରେ ତପସ୍ୟା ଭଙ୍ଗ କରିବେ ।

ଜୁନ୍‌ ୧ ତାରିଖରେ ତପସ୍ୟା ସରିବା ପରେ ସେ ତାମିଲନାଡ଼ୁରୁ ଦିଲ୍ଲୀ ଅଭିମୁଖେ ବାହାରିବେ । ଜୁନ୍‌ ୪ ରେ ନିର୍ବାଚନ ଫଳାପଳ ପ୍ରକାଶ ପାଇବ ।

ଗତଥର ମଧ୍ୟ ଏହିଭଳି ଭାବେ ମୋଦି ତପସ୍ୟାରେ ବସିଥିଲେ । ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରି ମୋଦି ଉତ୍ତରାଖଣ୍ଡର କେଦାରନାଥଙ୍କ ମନ୍ଦିର ପାଖରେ ଥିବା ଏକ ପବିତ୍ର ଗୁମ୍ଫାରେ ତପସ୍ୟା କରିଥିଲେ । ସେତେବେଳର ଫଟୋ, ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା ।

ତେବେ କିଛି ଦିନ ପୂର୍ବରୁ ମୋଦି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ କହିଥିଲେ, ସାରା ଦେଶରେ ଏବେ ନିର୍ବାଚନ ମାହୋଲ ସରଗରମ ରହିଛି । ଆଉ ଏହି ନିର୍ବାଚନୀ ମାହୋଲ ଭିତରେ ଆମର ପଲ୍ଲା ଭାରି ରହିଛି । ଏଥିରେ କାହାର ସନ୍ଦେହ ନାହିଁ । ଏହା ସମସ୍ତେ ଜାଣିଛନ୍ତି ଆମର ପଲ୍ଲା ଭାରି ରହିଛି ।

Related Posts