ଆଗାମୀ ଦିନରେ ମୋଦୀଙ୍କୁ କ୍ଷମତାରୁ ହଟାଇବାକୁ ପଡିବ: ମମତା ବାନାର୍ଜୀ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ବେଙ୍ଗଲ ନିର୍ବାଚନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା ପାଇଁ ରଣନୀତି ପ୍ରସ୍ତୁତ କରିବେ। ଗତକାଲି କୃଷକ ନେତା ରାକେଶ ଟିକାଏତ୍‌ ଙ୍କୁ ଭେଟିବା ପରେ ମମତା କହିଛନ୍ତି ଯେ ତାଙ୍କର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କିପରି କ୍ଷମତାରୁ ହଟାଇବେ। ସେ ନେଇ ରଣନୀତି ପ୍ରସ୍ତୁତ କରିବେ। ଜାତୀୟ ରାଜନୀତିରେ ତାଙ୍କର ଭୂମିକା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ତାଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ହେଉଛି ମୋଦୀଙ୍କୁ କ୍ଷମତାରୁ ହଟାଇବା ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ମାତ୍ ଦେଇ ଏକ ବିରାଟ ଜନାଦେଶ ପାଇବା ପରେ ଜାତୀୟ ରାଜନୀତିରେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ କେଉଁ ଭୂମିକା ଗ୍ରହଣ କରିବେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସେ ସମର୍ଥନ କରିବେ ବୋଲି ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାଏତ୍‌, ୟୁଧଭୀର ସିଂ ପ୍ରମୁଖ କୃଷକ ନେତାଙ୍କୁ ବୁଧବାର ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବାକୁ ସେ ବିରୋଧୀ-ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି । ମମତାଙ୍କୁ ଭେଟିଥିବା କୃଷକ ନେତାମାନେ କହିଛନ୍ତି ଯେ ବିଜେପିକୁ ପରାସ୍ତ କରି ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ଚାଷୀ ମାନଙ୍କ ପାଇଁ ଏକ ଆଦର୍ଶ ରାଜ୍ୟରେ ପରିଣତ କରିବା ପାଇଁ ଚେଷ୍ଟା କରିବା ଉଚିତ। ମମତା କହିଛନ୍ତି, “ଆମେ ଆରମ୍ଭରୁ ଆନ୍ଦୋଳନକାରୀ ଚାଷୀଙ୍କୁ ସମର୍ଥନ କରି ଆସୁଛୁ। ବିଧାନସଭାରେ ତିନି କୃଷି ଆଇନ ବିରୋଧରେ ସଂକଳ୍ପ ପତ୍ର ପାରିତ କରିଛୁ। ” କୋଭିଡ୍ ସ୍ଥିତିରେ ସୁଧାର ଆସିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦିଲ୍ଲୀ ଆସିବା ପାଇଁ ଚାଷୀ ନେତା ମାନେ ଅନୁରୋଧ କରିଥିଲେ। ଗତ ସାତ ମାସ ଧରି ଆନ୍ଦୋଳନକାରୀ ଚାଷୀଙ୍କ ସହ କେନ୍ଦ୍ର ସରକାର କାହିଁକି ଆଲୋଚନା କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଟିଏମସି ନେତା ଯଶବନ୍ତ ସିହ୍ନା କହିଛନ୍ତି ଯେ ପାରମ୍ପାରିକ କୃଷିକୁ କର୍ପୋରେଟ ମାନଙ୍କ ହାତକୁ ଟେକି ଦେବା ପାଇଁ କେନ୍ଦ୍ର ସରକାର ଏଭଳି ଆଇନ ଲାଗୁ କରିଛନ୍ତି। ଯଦି ପାରମ୍ପାରିକ କୃଷି ବନ୍ଦ ହୋଇଯାଏ ତେବେ ଭାରତ ଠପ୍ ହୋଇଯିବ ବୋଲି ସେ କହିଛନ୍ତି। ” ସୂଚନାଯୋଗ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ଭାଜପାକୁ ଭୋଟ ନ ଦେବା ପାଇଁ ପ୍ରଚାର କରିଥିଲା। ସେହିପରି ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ସେହି ନୀତି ଆପଣାଇବାକୁ କୃଷକ ନେତା ରାକେଶ ଟିକେଏତ୍ ସଙ୍କେତ ଦେଇଛନ୍ତି ।

Related Posts