ମୋଦୀଙ୍କ ଗୁଜରାଟ ଗସ୍ତ; ଆମ୍ୱୁଲାନ୍ସକୁ ରାସ୍ତା ଦେବାପାଇଁ ନିଜ କାରକେଡକୁ ଅଟକାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ୨୯ ହଜାର କୋଟି ଟଙ୍କାର ପ୍ୟାକେଜ ନେଇ ନିଜ ଗୃହରାଜ୍ୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଶୁକ୍ରବାର ନିଜ ଗସ୍ତର ଦ୍ଵିତୀୟ ଦିନରେ ଗାନ୍ଧୀନଗର ଷ୍ଟେସନରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ତୃତୀୟ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହାସହ ସେ ଅହମଦାବାଦରେ ମେଟ୍ରରେ ଯାତ୍ରା ମଧ୍ୟ କରିଥିଲେ ।ଏହି ସମୟରେ ପିଏମ ମୋଦୀଙ୍କ ସମ୍ୱେଦନଶୀଳତା ମଧ୍ୟ ସାମନାକୁ ଆସିଥିଲା । ଗାନ୍ଧୀନଗରରୁ ଅହମଦାବାଦ ଯିବା ସମୟରେ ରାସ୍ତାରେ ଏକ ଆମ୍ୱୁଲାନ୍ସ ଦେଖି ତୁରନ୍ତ ନିଜର କାରକେଡକୁ ଅଟକାଇ ଥିଲେ ମୋଦି। ଆମ୍ୱୁଲାନ୍ସଟି ଯାଇସାରିବା ପରେ ମୋଦୀଙ୍କ କାରକେଡ ଅହମଦାବାଦ ଅଭିମୁଖେ ଯାଇଥିଲା।

ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଘଭୀ ଏହି ସମୟର ଏକ ଭିଡ଼ିଓ ଟ୍ୱିଟ କରିଛନ୍ତି। ଏହା ସହ ସେ ଲେଖିଛନ୍ତି ଯେ, ଲୋକଙ୍କ ସରକାର। ଗାନ୍ଧୀନଗରରୁ ଅହମଦାବାଦ ଯିବା ସମୟରେ ଆମ୍ୱୁଲାନ୍ସକୁ ରାସ୍ତା ଦେବା ପାଇଁ ପିଏମ ମୋଦୀଙ୍କ କାରକେଡ୍ ଅଟକିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ୍ ଅଟକି ରହିଛି ଏବଂ ଏକ ଆମ୍ୱୁଲାନ୍ସ ଦ୍ରୁତ ଗତିରେ ସେହି ସ୍ଥାନ ଦେଇ ଯାଉଥିବା ଦେଖିବାକୁ ମିଳୁଛି।

Related Posts