ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟକୁ ବିଜେଡିମୁକ୍ତ କରିବାକୁ ପଡ଼ିବ: ଜେପି ନଡ୍ଡା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଆଜି ଗସ୍ତର ଦ୍ଵିତୀୟ ଦିନରେ ଦଳ ପକ୍ଷରୁ ଆୟୋଜିତ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବ, ମହିଳା, ବଞ୍ଚିତ, ଦଳିତ ସବୁ ବର୍ଗର ଲୋକଙ୍କ କଥା ଚିନ୍ତା କରୁଛନ୍ତି। ମୋଦୀଜୀଙ୍କ ବିଭିନ୍ନ ଯୋଜନା ଲୋକଙ୍କ ହିତ ସାଧନ କରିଆସିଛି। ଏଣୁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଘରଘରକୁ ଯାଇ ମୋଦୀ ସରକାରର ଲୋକାଭିମୁଖୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ। ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ମୋଦୀ ସରକାର ଛଅଟି ନୂତନ ମେଡିକାଲ କଲେଜ ସ୍ଥାପନ କରିଛନ୍ତି। ମୋଦୀଙ୍କ ନେତୃତ୍ବରେ ଦେଶ ଆଗକୁ ବଢ଼ୁଛି। ଏକଥା ଗାଁଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ସେ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି। ନଡ୍ଡା କହିଛନ୍ତି ଯେ, ଆଗାମୀ ୨୫ ବର୍ଷରେ ଭାରତକୁ ଶ୍ରେଷ୍ଠ ଭାରତ ଭାବେ ଠିଆ କରାଇବାକୁ ପଡ଼ିବ। ବିକଶିତ ଭାରତ ସହ ବିକଶିତ ଓଡ଼ିଶାର ଗଠନ ହେବାର ଆବଶ୍ୟକତା ରହିଛି। ଆଉ ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟକୁ ବିଜେଡିମୁକ୍ତ କରିବାକୁ ପଡ଼ିବ। ଏଥିପାଇଁ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଆସିବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୪ ନିର୍ବାଚନର ଓଡ଼ିଶା ଦଖଲ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗସ୍ତର ପ୍ରଥମ ଦିନରେ ମଧ୍ୟ ଶ୍ରୀ ନଡ୍ଡା ରାଜ୍ୟବାସୀଙ୍କ ସାମ୍ନାରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ବେଳେ ଅତି କଡ଼ା ଭାଷାରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ ନଡ୍ଡା।

Related Posts