ମହମ୍ମଦ ମୋକିମ ରାଷ୍ଟ୍ରପତି ନିର୍ବାଚନର ଦ୍ରୌପଦୀଙ୍କୁ ଭୋଟ ଦେବା ପ୍ରସଙ୍ଗ, ମୋକିମଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ଭୋଟ ଦେବା ପରେ ଓଡ଼ିଶା କଂଗ୍ରେସ ଉଠୁଛି ପଡୁଛି। ଇତି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋକିମଙ୍କ ନିଷ୍ପତିକୁ ପ୍ରଶଂସା କରିଛନ୍ତି। ଧର୍ମେନ୍ଦ୍ର ଟ୍ୱିଟ କରି ଲେଖିଛନ୍ତି ଯେ ରାଜନୈତିକ ମତପାର୍ଥକ୍ୟ ଓ ବିରୋଧ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତି ସହ ସାରା ଦେଶର ଅନେକ ରାଜନୈତିକ ଦଳ ସ୍ୱର ମିଳାଇ ଦ୍ରୌପଦୀଙ୍କୁ ସମର୍ଥନ ଦେବା ପାଇଁ ସହମତି ପ୍ରକାଶ କରିଥିଲେ । ଆଜି ଓଡ଼ିଶା କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ୍ ଦେଇଥିବା ଘୋଷଣା କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ତାଙ୍କ ନିଷ୍ପତ୍ତିକୁ ମୁଁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଉଛି ।

ସୂଚନା ଅନୁସାରେ ଆଜି ସାରା ଦେଶରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ତେବେ ଏହି ନିର୍ବାଚନରେ କଂଗ୍ରେସ ଦଳ ଯଶୋବନ୍ତ ସିହ୍ନା ଙ୍କୁ ସମର୍ଥନ କରୁଛି। ସେହି ଅନୁସାରେ ଓଡ଼ିଶା କଂଗ୍ରେସର ସମସ୍ତ ବିଧାୟକ ମାନଙ୍କୁ ମଧ୍ୟ ଯଶୋବନ୍ତଙ୍କୁ ଭୋଟ ଦେବାକୁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ନିର୍ଦ୍ଦେଶ କୁ ନମାନି ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା କଥା ସାମ୍ନାକୁ ଆସିଛି। ଦ୍ରୌପଦୀଙ୍କୁ ଭୋଟ ଦେବା ପ୍ରସଙ୍ଗରେ ମୋକିମ କହିଛନ୍ତି ମୁଁ ମୋର ଦୃଦୟର ଡାକକୁ ଗ୍ରହଣ କରିଛି। ଏହା ମ‌ତେ ନିଜ ମାଟି ପାଇଁ କିଛି କରିବାକୁ ପ୍ରେରଣା ଦେଇଛି। ସେଥିପାଇଁ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲି। ଏହି ପ୍ରସଙ୍ଗରେ ପିସିସି ସଭାପତି ଶରଦ ପଟ୍ଟନାୟକ କହିଛନ୍ତି ମୋକିମଙ୍କ କାର୍ଯ୍ୟକଳାପ ବାବଦ ରେ ହାଇକମାଣ୍ଡଙ୍କୁ ଅବଗତ କରାଯାଇଛି। ହାଇକମାଣ୍ଡ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related Posts