
ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ରେ ଜଳ ପତ୍ତନ ବୃଦ୍ଧି ପାଇଛି । ଫଳରେ ଡ୍ୟାମ୍ର ଆଉ ଚାରୋଟି ଗେଟ୍ ଖୋଲିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ ଆଜି ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ସେପଟେ ରାଜ୍ୟରେ ୮ଟି ନଦୀ ଫୁଲିବା ଆରମ୍ଭ କରିଦେଇଛି । ମହାନଦୀ, କୁଶଭଦ୍ରା, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧରା, ଓ ଋଷିକୂଲ୍ୟା ନଦୀର ଜଳ ପତ୍ତନ ବଢ଼ିବାରେ ଲାଗିଛି ।
ସେପଟେ ବାଲେଶ୍ୱର ମଥାନୀ ନିକଟରେ ଜଳକା ନଦୀ ଗତକାଲିଠାରୁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳକାର ବିପଦ ସଙ୍କେତ ୫.୫୦ ମିଟର୍ ଥିବାବେଳେ ଏବଂ ୬.୪୮ ମିଟର ଉପରେ ନଦୀ ଜଳ ପ୍ରବାହିତ ହେଉଛି । ଫଳରେ ଜିଲ୍ଲାରେ ବନ୍ୟା ଆସିବାର ସମ୍ଭାବନା ସୃଷ୍ଟି ହୋଇଛି ।