(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏବେ ଆକ୍ସନ ମୋଡରେ। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ରବିବାର ସ୍ବାଧୀନତା ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସିଦ୍ଧୁ କହିଛନ୍ତି ଯେ ଗତ ବିଧାନସଭା ନିର୍ବାଚନ ତୁଳନାରେ ଆଗାମୀ ନିର୍ବାଚନରେ ଅଧିକରୁ ଅଧିକ ଯୁବକଙ୍କୁ ଟିକେଟ୍ ଦିଆଯିବ। ଏହି ଅବସରରେ ସେ ବିଜେପି- ଶିରୋମଣି ଅକାଳୀ ଦଳକୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି ଯେ ଅକାଳୀ-ବିଜେପି ଗଠବନ୍ଧନ ସରକାର ପଞ୍ଜାବରେ ମାଫିଆ ରାଜ୍ ବଢାଇଛନ୍ତି। ତେବେ କାହାର ନାଁ ନନେଇ ପୂର୍ବତନ କ୍ରିକେଟର ତଥା ରାଜନେତା ସିଦ୍ଧୁ ଆମ୍ ଆଦମୀ ପାର୍ଟିକୁ କଟାକ୍ଷ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଦଳରେ ସାମିଲ କରିବାକୁ ଆପ୍ ଯଥା ସମ୍ଭବ ଉଦ୍ୟମ କରିଥିଲା। ନୂତନ ଭାବେ ପଞ୍ଜାବ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ହୋଇଥିବା ସିଦ୍ଧୁ କଂଗ୍ରେସ ଭବନରେ ରାଜ୍ୟ ଯୁବ କଂଗ୍ରେସ ୟୁନିଟକୁ ସମ୍ବୋଧିତ କରିବା ଅବସରରେ ଏହି ଘୋଷଣା କରିଥିଲେ। ଗତ କାଲି ସ୍ୱାଧୀନତା ଦିବସ ଅବସରରେ ଯୁବ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ମଧ୍ୟ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନବଜୋତ ସିଂ ସିଦ୍ଧୁ ଯୁବକମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ସେ ଏହି ଯୋଗ୍ୟତାକୁ ସମ୍ମାନ କରିବେ। ସିଦ୍ଧୁ କହିଛନ୍ତି ଯେ ସେ ଚାହୁଁଛନ୍ତି ଯୁବକମାନଙ୍କୁ ସୁଯୋଗ ମିଳିବା ଆବଶ୍ୟକ। ସିଦ୍ଧୁ ଘୋଷଣା କରିଛନ୍ତି ଯେ , ‘ ଆଗାମୀ ବିଧାନସଭା ନିର୍ବାଚନରେ ଯୁବକମାନେ ପୂର୍ବ ଅପେକ୍ଷା ଦେଢ ଗୁଣ ଅଧିକ ଟିକେଟ୍ ପାଇବେ।’ ନବଜୋତ ସିଂ ସିଦ୍ଧୁ ଆମ୍ ଆଦମୀ ପାର୍ଟିର ନାମ ନ ନେଇ ଦାବି କରିଛନ୍ତି, ‘ତୁମେ ମୋତେ ଦଳରେ ସାମିଲ କରିବା ପାଇଁ ମୋ ପଛରେ ପଡିଥିଲ। ତୁମେ ମୋ ଘରକୁ ଆସି କହିଥିଲ ସିଦ୍ଧୁ ସାହେବ, ଆମେ ତୁମ ପାଇଁ କ’ଣ କରିପାରିବୁ?