ପଟିଆଲା ଜେଲରେ ସମାନ ବାରାକରେ ନବଜୋତ ସିଂହ ସିଦ୍ଧୁ ଓ ଦଲେର ମେହେନ୍ଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଟିଆଲା ଜେଲରେ ସମାନ ବାରାକରେ ନବଜୋତ ସିଂହ ସିଦ୍ଧୁ ଓ ଦଲେର ମେହେନ୍ଦି । ସେପଟେ ବହୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ ୨୦୦୩ ମସିହା ମାନବ ଚାଲାଣ ମାମଲାରେ ଗତକାଲି ୨ ବର୍ଷ ପାଇଁ ଜେଲ ହାଜତକୁ ଯାଇଛନ୍ତି। ସେହିପରି ପୂର୍ବରୁ ହିଟ ଆଣ୍ଡ ରନ ମାମଲାରେ ସିଦ୍ଧୁ ଜେଲଦଣ୍ଡ ଭୋଗୁଛନ୍ତି। ଉଭୟ ସିଦ୍ଧୁ ଓ ଦଲେର ମେହେନ୍ଦି ଏବେ ପଞ୍ଜାବର ପଟିଆଲ ଜେଲର ସମାନ ବାରାକରେ ରହିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ ଜେଲର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି ସିଦ୍ଧୁ ଓ ମହେନ୍ଦି ସମାନ ବାରାକରେ ରହିଥିବା କଥାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ପଟିଆଲାର ସେଣ୍ଟ୍ରାଲ ଜେଲର ୱାର୍ଡ ନଂ ୧୦ରେ ଗୁରୁବାର ଠାରୁ ଦଲେର ମେହିନ୍ଦିଙ୍କୁ ରଖା ଯାଇଛି। ପୂର୍ବରୁ ଏହି ବାରାକରେ ସିଦ୍ଧୁ ମଧ୍ୟ ରହୁଥିଲେ। ଏହାର ପାର୍ଶ୍ୱବର୍ତ୍ତୀ ବାରାକରେ ଅକାଳୀ ଦଳର ନେତା ବିକ୍ରମ ସିଂହ ମାଜିଥିଆ ମଧ୍ୟ ରହୁଛନ୍ତି।

ଅନ୍ୟପଟେ ୨୦୦୩ ରେ ଦଲେର ମେହେନ୍ଦିଙ୍କ ବିରୋଧରେ ମାନବ ଚାଲାଣ ନେଇ ମାମଲା ରୁଜୁ ହୋଇଥିଲା। ପଞ୍ଜାବ ବେଡା ଗାଁର ବକ୍ସିସ ସିଂହଙ୍କ ଅଭିଯୋଗ ଆଧାରରେ ଦଲେର ମେହେନ୍ଦି ଓ ତାଙ୍କ ଭାଇ ଶମସେର ମେହେନ୍ଦି ଓ ବୁଲବୁଲ ମେହେଟାଙ୍କ ବିରୋଧରେ ବିଦେଶକୁ ମାନବ ଚାଲାଣ କରିବାକୁ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ସଦର ଥାନା ପୁଲିସ ମାମଲା ରୁଜୁ କରିଥିଲା। ଦଲେର ମେହେନ୍ଦି ଓ ତାଙ୍କ ଭାଇଙ୍କ ବିରୋଧରେ ମୋଟ ୩୧ଟି ମାମଲା ରୁଜୁ କରାଯାଇଥିଲା।୨୦୧୮ରେ ତାଙ୍କୁ ଏଥିପାଇଁ ଦୁଇ ବର୍ଷର ଜେଲଦଣ୍ଡ ମିଳିଥିଲା। ତେବେ ସେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଗୁରୁବାର ଏହି ଦଣ୍ଡାଦେଶ କାଏମ ରହିବାରୁ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କ ମେଡିକାଲ ଟେଷ୍ଟ ହୋଇଥିଲା ଓ ତାଙ୍କୁ ପଟିଆଲାର କେନ୍ଦ୍ରୀୟ ଜେଲକୁ ପଠାଇ ଦିଆଯାଇଥିଲା।

Related Posts