
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀର ପ୍ରଥମ ଲହର ଭାରତରେ ପ୍ରବେଶ କରିବା ପରେ ଗତ ବର୍ଷ କେନ୍ଦ୍ର ସରକାର ଦେଶବ୍ୟାପୀ ଲକଡାଉନ୍ ଲଗାଇ ଦେଇଥିଲେ। ଏହାପରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ସହର ଛାଡି ଗାଁ କୁ ଫେରିଥିଲେ। ଫେରିବା ବାଟରେ ଅଧିକାଂଶ ପ୍ରବାସୀ ଶ୍ରମିକଙ୍କ ରେଳ ଧାରଣାରେ ମୃତ୍ୟୁ ଘଟିଛି। ୨୦୨୦ ମସିହାରେ ସାରା ଦେଶରେ 8,700 ରୁ ଅଧିକ ଲୋକଙ୍କ ମୃତ୍ୟୁ ରେଳ ଧାରଣାରେ ହୋଇଥିବା ବେଳେ ସେଥି ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ବୋଲି ଜଣାପଡିଛି । ମଧ୍ୟପ୍ରଦେଶର ସୂଚନା ଅଧିକାର କର୍ମୀ ଚନ୍ଦ୍ର ଶେଖର ଗୌରଙ୍କ ପ୍ରଶ୍ନର ଉତ୍ତରରେ ଜାନୁଆରୀରୁ ଡିସେମ୍ବର 2020 ମଧ୍ୟରେ ମୋଟ ମୃତ୍ୟୁ ସମ୍ପର୍କରେ ରେଳ ବୋର୍ଡ ତଥ୍ୟ ପ୍ରଦାନ କରିଛି। ରେଲୱେ ବୋର୍ଡ କହିଛି ଯେ ରାଜ୍ୟ ପୋଲିସ ତରଫରୁ ମିଳିଥିବା ସୂଚନା ଆଧାରରେ ଜାନୁଆରୀ 2020 ରୁ ଡିସେମ୍ବର 2020 ମଧ୍ୟରେ 805 ଜଣ ଲୋକ ଆହତ ହୋଇଛନ୍ତି ଏବଂ 8,733 ଜଣ ଲୋକ ରେଳ ଧାରଣାରେ ମୃତ୍ୟୁ ବରଣ କରିଛନ୍ତି। ଅଧିକାରୀମାନେ ଦେଇଥିବା ସୂଚନା ମୁତାବକ ମୃତକ ମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ, ଯେଉଁମାନେ ଘରକୁ ଯିବା ପାଇଁ ସଡକ ପଥ ପରିବର୍ତ୍ତେ ଟ୍ରେନ୍ ରୁଟ୍ ବାଛିଥିଲେ କାରଣ ଏହି ରୁଟ୍ ରେ ଦୂରତା କମ୍। ରେଳବାଇ ମୁଖପାତ୍ର ଡିଜେ ନାରାୟଣ କହିଛନ୍ତି ଯେ ଟ୍ରାକରେ ଏଭଳି ଘଟଣା “ଦୁର୍ଘଟଣା ହେତୁ ନୁହେଁ ବରଂ ଟ୍ରେସ୍ ପାସିଂ ହେତୁ” ଘଟିଥାଏ। ଏହା ଏକ ଚିନ୍ତାର ବିଷୟ । ସମଗ୍ର ଦେଶରେ ପ୍ରାୟ 70,000 କିଲୋମିଟର ରେଲୱେ ଟ୍ରାକ୍ ବ୍ୟାପିଥିବା ବେଳେ ଦୈନିକ 17,000 ରୁ ଅଧିକ ଟ୍ରେନ୍ ଚଳାଚଳ କରିଥାଏ। ଟ୍ରେସ୍ ପାସିଂ ସମୟରେ ରେଲୱେ ଟ୍ରାକରେ ଘଟୁଥିବା ମୃତ୍ୟୁ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ । ଯାତ୍ରୀ ଏବଂ ନାଗରିକଙ୍କ ସୁରକ୍ଷା ଆମର କର୍ତ୍ତବ୍ୟ ବୋଲି ସେ କହିଛନ୍ତି । ” ଗତ ଦୁଇ ବର୍ଷ ମଧ୍ୟରେ “ବେପରୁଆ ସଡ଼କ ପାର ହେବା ବେଳେ ଏହି ପ୍ରକାର ଦୁର୍ଘଟଣା ବୋଧହୁଏ ରାସ୍ତାରେ ଅଧିକ ଘଟିପାରେ କିନ୍ତୁ କୌଣସି “ଟ୍ରେନ୍ ଦୁର୍ଘଟଣା” ହେତୁ ଏମିତି ହୋଇନଥିବା ନାରାୟଣ କହିଛନ୍ତି । ବିଗତ ଚାରି ବର୍ଷ ତୁଳନାରେ 2020 ମସିହାରେ ମୃତ୍ୟୁ ସଂଖ୍ୟା କମ୍ ଥିବାବେଳେ ମାର୍ଚ୍ଚ 25 ରେ ଲକଡାଉନ୍ ପରେ ଯାତ୍ରୀବାହୀ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଲକଡାଉନ୍ ସମୟରେ କେବଳ ମାଲବାହୀ ଟ୍ରେନ୍ ଚଳାଚଳ କରୁଥିବା ବେଳେ ମେ ୧ ରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ ଚାଲୁଥିଲା। ପର୍ଯ୍ୟାୟକ୍ରମେ ଯାତ୍ରୀବାହୀ ସେବା ଧିରେ ଧିରେ ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର ସୁଦ୍ଧା 110 ଟି ନିୟମିତ ଯାତ୍ରୀବାହୀ ଟ୍ରେନ୍ ସହିତ ପ୍ରାୟ 1100 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଥିଲା । ତେବେ ଗତ ବର୍ଷ ରେଳ ଧାରଣାରେ ହୋଇଥିବା ଅନେକ ମୃତ୍ୟୁ ପଞ୍ଜିକୃତ ହୋଇନଥିଲା । ସୂଚନାଯୋଗ୍ୟ ଗତ ମେ ମାସରେ ମହାରାଷ୍ଟ୍ରର ଔରଙ୍ଗାବାଦ ଟ୍ରେନ୍ ଦୁର୍ଘଟଣାରେ ୧୬ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଲକଡାଉନ୍ ହେତୁ ଟ୍ରେନ୍ ଚଳାଚଳ ବନ୍ଦ ଥିବା ଭାବି ସେମାନେ ଧାରଣା ଉପରେ ବିଶ୍ରାମ ନେଇଥିଲେ । ରାଜ୍ୟ ସରକାରଙ୍କ ଦ୍ବାରା ସଂଗୃହିତ ତଥ୍ୟ ଅନୁଯାୟୀ, 2016 ରୁ 2019 ମଧ୍ୟରେ ଏଭଳି ଘଟଣାରେ 56,271 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 5,938 ଜଣ ଆହତ ହୋଇଛନ୍ତି। ଏହି ଆକଳନରୁ ଜଣାପଡିଛି ଯେ 2016 ରେ 14,032 ଲୋକ, 2017 ରେ 12,838, 2018 ରେ 14,197 ଏବଂ 2019 ରେ 15,204 ଜଣଙ୍କର ମୃତ୍ୟୁ ଘଟିଛି। ତେବେ ରେଳବାଇ ଏହି ମୃତ୍ୟୁକୁ “ରେଳ ଦୁର୍ଘଟଣା” ବୋଲି ବିଚାରକୁ ନିଏ ନାହିଁ। ରେଳବାଇର ମୃତ୍ୟୁ ପରିସଂଖ୍ୟାନ ତିନୋଟି ଆଧାରରେ ବିବେଚନା କରିଥାଏ – ଦୁର୍ଘଟଣା, ଟ୍ରେସ୍ ପାସିଂ ଏବଂ ଅପ୍ରତ୍ୟାଶିତ ଘଟଣା । ଏହି ମୃତ୍ୟୁଗୁଡିକ “ଅପ୍ରତ୍ୟାଶିତ ଘଟଣା” କିମ୍ବା “ଟ୍ରେସ୍ ପାସିଂ” ବର୍ଗରେ ଆସିଥାଏ ଏବଂ ରାଜ୍ୟ ପୋଲିସ ଦ୍ୱାରା ଯାଞ୍ଚ କରାଯାଏ । ପୀଡିତମାନଙ୍କୁ ସମ୍ପୃକ୍ତ ରାଜ୍ୟ ସରକାର କ୍ଷତିପୂରଣ ମଧ୍ୟ ଦେଉଛନ୍ତି। ଏଭଳି ମୃତ୍ୟୁକୁ ହ୍ରାସ କରିବା ପାଇଁ ରେଳବାଇ ବ୍ୟାପକ ଅଭିଯାନ ଚଳାଇଛି ବୋଲି ରେଲୱେ ମୁଖପାତ୍ର କହିଛନ୍ତି।