
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ମହାମାରୀ ବିରୋଧରେ ଏକ ପ୍ରମୁଖ ଅସ୍ତ୍ର ହେଉଛି ଟୀକାକରଣ। କିନ୍ତୁ ଟିକା ନେବା ପରେ ମଧ୍ୟ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଭାରତରେ ଟୀକା ନେବା ପରେ ଅଢେଇ ଲକ୍ଷ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ – ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ ୨ ଲକ୍ଷ ୫୮ ହଜାର ୫୬୦ ଜଣ ଲୋକଙ୍କର ବ୍ରେକ୍ ଥ୍ରୁ (ଟିକା ନେବା ପରେ ସଂକ୍ରମଣ) ହୋଇଛି । ତେବେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୧ ହଜାର ୫୧୧ ଜଣ ଲୋକ ଟୀକାକରଣର ପ୍ରଥମ ଡୋଜ ନେବା ପରେ କରୋନା ସଂକ୍ରମିତ ହୋଇଥିଲେ। ଏବଂ ଉଭୟ ଡୋଜ ଟିକା ନେବା ପରେ ୮୭ ହଜାର ୪୯ ଜଣଙ୍କର ବ୍ରେକ୍ ଥ୍ରୁ ସଂକ୍ରମଣ ହୋଇଛି। ଏହି ବ୍ରେକ୍ ଥ୍ରୁ ଭାରତରେ ଦିଆଯାଉଥିବା କୋଭିଶିଲ୍ଡ, କୋଭାକ୍ସିନ୍ ଏବଂ ସ୍ପୁଟନିକ୍ ଟୀକା ଦିଆଯିବା ପରେ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଏହି ତିନୋଟି ଟୀକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ପରେ ମଧ୍ୟ ବ୍ରେକ୍ ଥ୍ରୁ ସଂକ୍ରମଣର ମାମଲା ରିପୋର୍ଟ ହୋଇଛି । ବ୍ରେକଥ୍ରୁ ସଂକ୍ରମଣ ମୋଟ ଟିକା ମଧ୍ୟରୁ ୦.୦୪୮% ଅଟେ ।
ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦିନକରେ ୪୦ ହଜାର ୧୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବଂ ୫୮୫ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଦେଶର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୨୧ ଲକ୍ଷ ୧୭ ହଜାର ୮୨୬। ମୋଟ୍ ସୁସ୍ଥ ହେଲେଣି ୩ କୋଟି ୧୩ ଲକ୍ଷ ୦୨ ହଜାର ୩୪୫। ମୋଟ୍ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୦ ହଜାର ୨୫୪ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ୪୨ ହଜାର ୨୯୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଦେଶରେ କରୋନା ଆକ୍ଟିଭ କେସ୍ ୩ ଲକ୍ଷ ୮୫ ହଜାର ୨୨୭ ଜଣ ରହିଛନ୍ତି। ସେହିପରି ଦେଶରେ ମୋଟ୍ ଭ୍ୟାକ୍ସିନେସନ ୫୨ କୋଟି ୯୫ ଲକ୍ଷ ୮୨ ହଜାର ୯୫୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୫୭ ଲକ୍ଷ ୩୧ ହଜାର ୫୭୪ ଜଣଙ୍କୁ ଟିକାକରଣ କରାଯାଇଛି। ଦୈନିକ ପଜିଟିଭିଟି ହାର ୨.୦୪% ଅଟେ । ଗତ ୧୯ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ୩ ପ୍ରତିଶତରୁ କମ୍ ଅଟେ। ଏଥି ସହିତ, ସାପ୍ତାହିକ ପଜିଟିଭିଟି ରେଟ୍ ୫ପ୍ରତିଶତରୁ କମ୍ ରହିଛି ।
ଅପରପକ୍ଷରେ ମୁଣ୍ଡା ବିନ୍ଧାର କାରଣ ପାଲଟିଛି ଡେଲଟା ପ୍ଲସ୍ ଭାରିଏଣ୍ଟ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କୋଭିଡ-୧୯ ର ଡେଲଟା ପ୍ଲସ ଭାରିଆଣ୍ଟ ଯୋଗୁଁ ପ୍ରଥମ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ମୃତ ୬୩ ବର୍ଷ ବୟସ୍କା ଏହି ମହିଳା କୋଭିଡର ଦୁଇଟିଯାକ ଟିକା ନେଇସାରିଥିଲେ । ଜୁଲାଇ ୨୧ ରେ ସେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବଂ ସେ ୨୭ ଜୁଲାଇରେ ମୃତ୍ୟୁ ବରଣ କରିଛନ୍ତି। ମହିଳା ଜଣକ ମଧୁମେହ ସମେତ ଅନ୍ୟାନ୍ୟ ରୋଗରେ ପୂର୍ବରୁ ପୀଡିତ ଥିଲେ। ନିକଟରେ ମୁମ୍ବାଇରେ ଚିହ୍ନଟ ହୋଇଥିବା ୭ ଜଣ ଡେଲଟା ପ୍ଲସ୍ ଭାରିଆଣ୍ଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।