ରାଜ୍ୟ ବିଜେପିରେ ନନାଙ୍କ ଟିଆରପି ଏକ ନମ୍ବର

ସତ୍ୟପାଠ ବ୍ୟୁରୋ : ଓଡିଶା ବିଜେପିରେ ଏବେ ଜଣେ ନେତାଙ୍କ ଟିଆରପି ପୁରା ଉପରେ । ସେ କଣ କରୁଛନ୍ତି ତାହା ଦେଖିବାକୁ ଲୋକେ ଯେମିତି ଆଗ୍ରହୀ , ତାହାକୁ ଦେଖାଇବୁ ବି ଅରାଜି ନୁହେଁ ମିଡିଆ । ମାନେ ସେ ଏବେ ସବୁଠି ଭାଇରାଲ । ଏହି ହାଇ ଟିଆରପି ନେତା ଜଣକ ହେଉଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀ ।

ଏକଦମ ସିଧା ଓ ସରଳ ଭାବରେ କୁହାଯାଇପାରେ ପ୍ରତାପ ନନାଙ୍କ ପ୍ରଶଂସକ ଏତେ ଅଧିକ ଯେ, ତାଙ୍କ ସମ୍ପର୍କିତ କୌଣସି ଖବର ବା ଭିଡିଓକୁ ତୁରନ୍ତ ସେୟାର କରି ଦିଆଯାଏ । ନନା ଦିଲ୍ଲୀରୁ ଫେରି ଗାଁରେ ପହଂଚିଲା ବେଳକୁ ଦୁଆରେ ମାଳ ମାଳ କ୍ୟାମେରା ଓ ସାମ୍ବାଦିକ । ନନାଙ୍କ ଟିକିଏ ଝଲକରେ ବି ରେଟିଂ ଯେମିତି ରେସପନ୍ସ ବି ସେମିତି । ତେଣୁ ନନା ଗାଁ ଘରେ କେମିତି ରହିଲେ, ରାତିରେ କଣ ଖାଇଲେ, କେଉଁଠି ଗାଧୋଇଲେ ଏବଂ ବାଲଟିରେ କେତେ ପାଣି ଆଣିଲେ ଇତ୍ୟାଦି ସବୁକୁ ଦେଖାଇବାରେ ଆଦୌ କାର୍ପଣ୍ୟତା ଦେଖାଉନି ମିଡିଆ । କେବଳ ଝାଡା, ପରିଶ୍ରା କରିବାକୁ ଛାଡି ଆଉ ଯାହା ଦେଖାଇହେବ, ନନାଙ୍କର ସବୁ ଭିଡିଓ ଦେଖାଇବାକୁ ମିଡିଆ ଆଗ୍ରହୀ । ଗୋଟିଏ ଶବ୍ଦରେ କହିବାକୁ ଗଲେ ନନା ଏବେ ସବୁଠି ଭାଇରାଲ ।

ନନାଙ୍କ ପୂର୍ବରୁ ଏତେ ହାଇ ଟିଆରପି କାହାର ନଥିଲା । ଓଡିଶା ବିଜେପିର ମଙ୍ଗ ଧରିବା ପରେ ଧର୍ମେନ୍ଦ୍ରଙ୍କ ଫଲୋଅର ସଂଖ୍ୟା ବଢ଼ିଲା । ଟିଆରପି ବି ବଢ଼ିଲା । ତାଙ୍କ ପରେ ଅପରାଜିତା ଆସିଲେ । ଅପରାଜିତାଙ୍କ ଟିଆରପି ଧର୍ମେନ୍ଦ୍ରଙ୍କ ପାଖାପାଖି ଯାଏଁ ଯାଇଥିଲା କିନ୍ତୁ ତାହାକୁ ଛୁଇଁ ପାରି ନଥିଲା । ପୁଣି ଏଣ୍ଟ୍ରି ମାରିଲେ ବୈଜୟନ୍ତ ପଣ୍ଡା । ରାଷ୍ଟ୍ରୀୟ ମୁଖପାତ୍ର ଓ ପଦବୀ ପାଇ ଜୟ ଦଳକୁ ଆସିବା ପରେ ଯଦିଓ ଦଳରେ ତାଙ୍କର ଫଲୋଅର ବଢ଼ିଲେ ହେଲେ ଟିଆରପି ବଢ଼ିଲାନି । ସେ ବି ଅପରାଜିତାଙ୍କ ପାଖ ଯାଏ ଯାଇ ରହିଲେ ।

କିନ୍ତୁ ମେ ୨୩ ସଂଧ୍ୟା ବେଳକୁ ରାଜ୍ୟ ବିଜେପିରେ ଏ ଯେଉଁ ନନା ଚରିତ୍ରଟି ପ୍ରବେଶ କରିଥିଲେ ସମସ୍ତଙ୍କ ଅଲକ୍ଷ୍ୟରେ ତାଙ୍କ ଟିଆରପି ଏତେ ଉପରକୁ ଉଠି ଯାଇଛି ଯେ, ସେଠାରେ କେହି ପହଂଚିବେ ବୋଲି ବି ଆଶା କରାଯାଇ ପାରୁନାହିଁ । ସେ କେଉଁ ଦାନ୍ତକାଠିରେ ଦାନ୍ତ ଘସୁଛନ୍ତି, କେମିତି ଗାଧୋଉଛନ୍ତି, କଣ ଖାଉଛନ୍ତି, କଣ ପିନ୍ଧୁଛନ୍ତି, କେମିତି କଥା ହେଉଛନ୍ତି ଇତ୍ୟାଦି ଜାଣିବା ପାଇଁ ତାଙ୍କ ଫଲୋଅର ଯେତିକି ବ୍ୟଗ୍ର , ତାହାକୁ ମିଡିଆ ଦେଖାଇବାକୁ ବି ସେତିକି ତତ୍ପର । ତେଣୁ ଯଦି ଏ ଧାରା ଲାଗି ରୁହେ ତେବେ ସମୟ ଆସିବ ନନାଙ୍କ ରେଟିଂ କାଟିବାକୁ ବିଜେପିରେ କେହି ନଥିବେ ।

Related Posts