ଜମ୍ମୁ କାଶ୍ମୀରରେ ବାଦଲ ଫଟା ବର୍ଷା ସହ ଭୂ-ସ୍ଖଳନ: ୨ ମୃତ

ଜମ୍ମୁ : ଜମୁ କାଶ୍ମୀର ଉପତ୍ୟାକାରେ ତାଣ୍ଡବ ରଚୁଛି ପ୍ରାକୃତିକ ବିପର୍ଯ୍ୟୟ । ବାଦଲ ଫଟା ବର୍ଷା ଭୂ-ସ୍ଖଳନ ଦେଖିବାକୁ ମିଳୁଛି । ଗୁରୁବାର ରାମବନରେ ବାଦଲ ଫାଟିଛି। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।

ବାଦଲଫାଟିବା ଓ ଭୂ-ସ୍ଖଳନ ଯୋଗୁ ମୁଖ୍ୟ ମାର୍ଗରେ ମାଟି ଅତଡା ପଡିଛି। ଫଳରେ ଜମ୍ମୁ-ଶ୍ରୀନଗର ଯୋଗାଯୋଗ ବାଧିତ ହୋଇଛି। ରାମବନରେ ବାଦଲ ଫାଟିବା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା ଯୋଗୁ ଭୂ-ସ୍ଖଳନ ଘଟଣା ବଢ଼ିବଢି ଚାଲିଛି।

ରାମବନରେ ବାଦଲ ଫାଟିବା ଯୋଗୁ ପାହାଡରୁ ବଡ଼ ବଡ଼ ପଥର ଗଡି ତଳକୁ ଖସିଥିଲା। ଫଳରେ ଲୋକେ ଯିଏ ଜୁଆଡେ ପାରିଲେ ପଳାୟନ କରିଥିଲେ। ପାହାଡରୁ ପଥର ଖସିବା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ବାଦଲଫାଟିବା ଘଟଣା ଜଣାପଡିବା ମାତ୍ରେ ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଏଥିରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜମାର୍ଗକୁ ବନ୍ଦ କରିଦିଆଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ବାହନଙ୍କ ଭିଡ ଜମିଛି।

ସେପଟେ ଲଗାଣ ବର୍ଷା ଯୋଗୁ ରାଜ୍ୟର ତବି ନଦୀରେ ଜଳସ୍ତର ବଢିଛି। ପ୍ରଶାସନ ଲୋକଙ୍କୁ ନଦୀ କୂଳକୁ ନ ଯିବାକୁ ଓ ସତର୍କ ରହିବା ପାଇଁ କହିଛି। କାଶ୍ମୀର ଭଳି ହିମାଚଳ ପ୍ରଦେଶ କୁଲ୍ଲୁରେ ମଧ୍ୟ ବର୍ଷା ବିତ୍ପାତ ରଚିଛି। କୁଲ୍ଲୁ ଜିଲ୍ଲା ଆନିରେ ଗତ ରାତିରେ ବାଦଲ ଫାଟିଛି। ଫଳରେ ଅନେକ ଦୋକାନ ଓ ଗାଡି ଭାସି ଯାଇଛି। ବାଦଲ ଫାଟିବା ଯୋଗୁ ଆନି ଗାଁ ଓ ଦେବଠୀ ପଞ୍ଚାୟତ ଗୁରୁତର ପ୍ରଭାବିତ ହୋଇଛି। ହିମାଚଳ ଚମ୍ବାରେ ମଧ୍ୟ ଭୀଷଣ ବର୍ଷା ଓ ବାଦଲ ଫାଟିବାର ସୂଚନା ଆସୁଛି।

Related Posts