ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଅକ୍ଟୋବର ୧ରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମୁଲାୟମ । ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭର୍ତ୍ତି ହେବା ପରଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିବା ବେଳେ ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଥିବା ଜଣାପଡ଼ିଛି।

ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ରଖାଯାଇଛି ଏବଂ ଏବେ ଜୀବନ ରକ୍ଷାକାରୀ ଔଷଧ ଦିଆଯାଉଛି। ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନିରନ୍ତର ନଜର ରଖିଛନ୍ତି।

ରବିବାର ଦିନ ଏ ସମ୍ପର୍କରେ ସୂଚନା ଦେଇ ମେଦାନ୍ତ ହସ୍ପିଟାଲର ନିର୍ଦ୍ଦେଶକ ଡା. ସଞ୍ଜୀବ ଗୁପ୍ତା କହିଛନ୍ତି ଯେ ମୁଲାୟମ ସିଂଙ୍କ ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ରଖାଯାଇଛି। ତାଙ୍କୁ ନିରନ୍ତର ଜୀବନ ରକ୍ଷାକାରୀ ଔଷଧ ଦିଆଯାଉଛି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମଧ୍ୟ ପେଟ ଯନ୍ତ୍ରଣା ହେତୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପେଟରେ ଯନ୍ତ୍ରଣା ହେବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କ ଅନ୍ତନଳୀରେ ସମସ୍ୟା ଥିବା ପରୀକ୍ଷାରୁ ଜଣାପଡିଥିଲା। ଏହାପରେ ତାଙ୍କ ଅନ୍ତନଳୀକୁ ସଫା କରିବା ପାଇଁ କଲୋନୋସ୍କୋପି କରାଯାଇଥିଲା। କଲୋନୋସ୍କୋପି ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରୁ ଡାକ୍ତରମାନେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିଥିଲେ। ମେଦାନ୍ତ ହସ୍ପିଟାଲର ଡାକ୍ତର କହିଥିଲେ ଯେ ମୂତ୍ରନଳୀରେ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ଉପୁଜିଥିଲା। ହେଲେ ବର୍ଷକ ପରେ ଏବେ ପୁଣି ଥରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି