ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ଦୁଇଦିନ ଇଭିଏମଗୁଡ଼ିକୁ ସୁରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଯାଇଥିବାରୁ ପ୍ରତି ପୌର ସଂସ୍ଥାରେ ଏନେଇ କିପରି ଷ୍ଟ୍ରଙ୍ଗରୁମ ପ୍ରସ୍ତୁତ ହେବ ସେନେଇ ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ତେବେ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ ପ୍ରତି ପୌର ସଂସ୍ଥାରେ ତିନି ପ୍ରକାରର ଷ୍ଟ୍ରଙ୍ଗରୁମ ନିର୍ମାଣ କରାଯିବ । ଏଥିରେ ଗୋଟିଏ କାଉନସିଲ କର୍ପୋରେଟରଙ୍କ ପାଇଁ, ଦ୍ୱିତୀୟଟି ମେୟରଙ୍କ ପାଇଁ ଏବଂ ଅନ୍ୟଟି ବଳକା ଇଭିଏମ ପାଇଁ ରହିବ ବୋଲି ସୂଚନା ମିଳିଛି । ଯଦି କୌଣସି ବର୍ଗର ଇଭିଏମ ଗୋଟିଏ ଷ୍ଟ୍ରଙ୍ଗରୁମରେ ଜାଗା ନହୁଏ ତାହାଲେ ତା’ର ନିକଟବର୍ତ୍ତୀ ରୁମରେ ସେଗୁଡ଼ିକ ରଖାଯିବ । ପ୍ରତି ଷ୍ଟ୍ରଙ୍ଗ ରୁମରେ ଗୋଟିଏ ହିଁ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିବ । ବାକି ସବୁ କବାଟ, ଝାକାଗୁଡ଼ିକୁ କଙ୍ଗ୍ରିଟ କିମ୍ବା ଇଟା ଯୋଡ଼େଇ କରି ସିଲ କରାଯିବ ।

ଷ୍ଟ୍ର୍ରଙ୍ଗରୁମରେ ଇଭିଏମ ରଖାଯିବା ପରେ ଉକ୍ତ ରୁମକୁ ଅନ୍ଧାର କରି ଦିଆଯିବ । ଏଥିପାଇଁ ରୁମ ବାହାରେ ମେନ ସୁଇଚ ଲାଗିବ । ଉକ୍ତ ରୁମରେ ଯେପରି ପାଣି ପଶିବନି, ଉଇ ଲାଗିବନି, କୌଣସି ସାମଗ୍ରୀ ଭାଙ୍ଗି ଯେପରି କେହି ରୁମ ଭିତରେ ପଶିବେନି ତାହା ନିଶ୍ଚିତ କରାଯିବ । ଏହା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବ । ସେପଟେ ଷ୍ଟ୍ରଙ୍ଗରୁମ ବାହାରେ ୨୪ ଘଣ୍ଟା ସଶସ୍ତ୍ର ପୁଲିସ ମୁତୟନ ହେବେ । ଦୁଇଟି ତାଲା ପକାଇ ସିଲ ହେବ । ଦୁଇ ଜଣ ଅଧିକାରୀଙ୍କ ପାଖରେ ପୃଥକ ପୃଥକ ଚାବି ରହିବ । ସିସିଟିଭିରେ ଇଭିଏମ ଭର୍ତ୍ତି ହେବା ସମୟରୁ ଗଣତି ହେବା ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ରେକର୍ଡିଂ ହେବ ବୋଲି ସୂଚନା ମିଳିଛି ।