
ହାଇଦ୍ରାବାଦ : ନଭେମ୍ବର ୩ରେ ମୁନୁଗୋଡ଼ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ଏହି ଉପନିର୍ବାଚନ କୁ ନେଇ ଫୋରମ୍ ଫର୍ ଗୁଡ୍ ଗଭର୍ଣ୍ଣାନ୍ସ (ଏଫ୍ଜିଜି) ପକ୍ଷରୁ ଗୁରୁବାର ଭାରତୀୟ ନିର୍ବାଚନ କମିସନ ଆଗରେ ଏକ ଅଭିଯୋଗ ଦାଏର କରାଯାଇଛି। ବିଭିନ୍ନ ରାଜନୈତିକ ଦଳ ଏଠାରେ ୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଏଫ୍ଜିଜି ଏହି ଅଭିଯୋଗରେ ଦର୍ଶାଇଛି।
ଏଫ୍ଜିଜି ସମ୍ପାଦକ ଏମ୍ ପଦ୍ମନାଭ ରେଡ୍ଡୀଙ୍କ ଅଭିଯୋଗ ଅନୁସାରେ ଯଦି ୭୫ ପ୍ରତିଶତ ଭୋଟରଙ୍କୁ ଜଣପିଛା ଯଦି ହାରାହାରି ୯୦୦୦ ଟଙ୍କା ଦିଆଯାଇଥାଏ, ତେବେ ୧୫୨ କୋଟି ଟଙ୍କା ହେଉଛି। ମଦପିଆରେ ପ୍ରାୟ ୩୦୦ କୋଟି ଖର୍ଚ୍ଚ ହୋଇଛି। ୫୦ଟି ରୢାଲି ବା ମିଟିଂରେ ଅଢ଼େଇ କୋଟି ହିସାବରେ ୧୨୫ କୋଟି ଖର୍ଚ୍ଚ ହୋଇଛି। ସରକାର ମୁନୁଗୋଡ଼ରେ ଅନେକ ନୂଆ ଯୋଜନା ଘୋଷଣା କରିବା ସହ ପୁରୁଣା ଯୋଜନାର କାର୍ଯ୍ୟ ହାତକୁ ନେଇଥିଲେ।
ରାଜନୈତିକ ରାଲି ବା ସଭାଗୁଡ଼ିକରେ ଯୋଗଦାନ ପାଇଁ ରାଜନୈତିକ ଦଳଗୁଡ଼ିକ ଜଣପିଛା ୩୦୦ ଟଙ୍କା ଦେବା ସହ ସମସ୍ତଙ୍କୁ ବିରିୟାନି ଖାଇବା ଓ ମଦ ପିଇବାକୁ ଦେଇଥିଲେ। ସବୁ ମିଶାଇଲେ ଜଣ ପିଛା ୫୦୦ ଟଙ୍କାରୁ କମ୍ ଖର୍ଚ୍ଚ ହେବନାହିଁ। ରାଲି ଓ ସଭାଗୁଡ଼ିକରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ଜାତି ଅନୁସାରେ ବୈଠକ ଆୟାଜନ କରାଯାଇ ସେମାନଙ୍କୁ ବି ଖାଇବାକୁ ଓ ପିଇବାକୁ ଦିଆଯାଇଥିଲା। ଏମିତି କରି ମୋଟ ୬୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରେଡ୍ଡୀ ଅଭିଯୋଗ କରିବା ସହ ନିର୍ବାଚନ କମିସନ ଏହା ଉପରେ ତଦନ୍ତ କରିବାକୁ ସେ ଦାବି କରିଛନ୍ତି